ଆଜି ଠାରୁ ପୁରପଲ୍ଲୀରେ ଖୁଦୁରୁକୁଣୀ ଓଷା

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଠାରୁ ରାଜ୍ୟର ପୁରପଲ୍ଲୀରେ ଆରମ୍ଭ ହେଉଛି ମା ଖୁଦୁରୁକୁଣୀ ବା ଭାଲୁକୁଣୀଙ୍କ ଓଷା । ଭାଇର ଶୁଭ ମନାସୀ ମା ମଙ୍ଗଳାଙ୍କୁ ସୁମରଣା କରି ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଦିନ ପାଳନ କରା ଯାଇଥାଏ ଏହି ଓଷା । ବିଶେଷ କରି ଅବିବାହିତା ଝିଅମାନେ ଏହି ପୂଜାକୁ ନେଇ ଅଧିକ ଉତ୍ସାହିତ ଥାନ୍ତି । ବଡ଼ି ଭୋରରୁ ପୂଜା ପାଇଁ ବୁଲି ବୁଲି ଫୁଲ ତୋଳି ଥାନ୍ତି କୁମାରୀମାନେ। ଫୁଲ ତୋଳିବା ପରେ ପୁଣି ଥାଏ କଦଳୀ ପୁଆ କଟା । ତାପରେ ଦୁବ ବରକୋଳି ପତ୍ର ତୋଳି ଆଣନ୍ତି ।ପରେ ପହଂଚିଥାନ୍ତି ପୋଖରୀ ତୁଠରେ । ସେଠାରେ ଗାଧୋଇ ବାଲୁକା ସ୍ଥାପନ କରି ତା ଉପରେ ହଳଦୀ ପାଣି ପକାଇ ପୂଜାର୍ଚ୍ଚନା କରି ଘରକୁ ଫେରିଥାନ୍ତି । ଆଉ ସଂଧ୍ୟା ଆସିଗଲେ ପୂଜା ପାଇଁ ଆରମ୍ଭ ହୋଇଥାଏ ପ୍ରସ୍ତୁତି ।
ଗାଁ ମଝିରେ ଥିବା ଭଗବତ ଘରେ ଝୋଟି ଚିତା ପକାଇଥାନ୍ତି । ଏହା ପରେ ମା ମଙ୍ଗଳାଙ୍କ ପ୍ରତୀକ ଭାବରେ ଭାଲୁକୁଣୀ ମୂର୍ତ୍ତି ରଖି ସେଥିରେ ସିନ୍ଦୁର, ହଳଦି କଜ୍ଜ୍ୱଳ ଲଗାଇ ଥାନ୍ତି । ମା ମଙ୍ଗଳାଙ୍କ ଗୀତ ବହି ପଢ଼ା ଯାଇଥାଏ । ଏହା ପରେ ପୂଜା ନୀତି ସମ୍ପନ୍ନ ହେବା ପରେ ମା’ ଭାଲୁକୁଣୀଙ୍କୁ ବନ୍ଦାପନା କରାଯାଇଥାଏ । ହୁଳହୁଳି ଧ୍ୱନିରେ ସୃଷ୍ଟି ହୋଇଥାଏ ଭକ୍ତିମୟ ପରିବେଶ । ଶେଷରେ ମାଙ୍ଗଳାଙ୍କୁ ମଥାପାତି ପ୍ରଣିତ ଜଣାଇ ଥାନ୍ତି କୁମାରୀମାନେ । ଆଉ ଭୋଗ ଖାଇ ସମ୍ପନ୍ନ କରିଥାନ୍ତି ଭାଲୁକୁଣୀ ଓଷା ।