୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି, ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା

ବାଲିଗୁଡ଼ା: ୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି । କଳିଙ୍ଗା ଯାଟି ଦେଇ ବାଇକ୍ ଓ ହାଲୁକା ଯାନ ଚଳାଚଳ କରୁଥିବା ବେଳେ ଭାରିଯାନ ନିଷେଧ ରହିଛି । ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା କଳିଙ୍ଗା ଘାଟି । 

ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଗତ ସେପ୍ଟେମ୍ବର ୧୭ ତାରିଖରେ କଳିଙ୍ଗା ଘାଟି ପୁଣି ଧସି ଯାଇଥିଲା । ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୂରା ବନ୍ଦ ହୋଇଯାଇଥିଲା । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା । ଏହି ରାସ୍ତା ବିଜୟୱାଡା ଓ ରାଞ୍ଚି କରିଡର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ୧୦ ଦିନରେ ଘାଟି ରାସ୍ତା ଖୋଲାଯିବ ବୋଲି କହିଥିଲା ପ୍ରଶାସନ । ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ ଜାରି ରଖିଥିଲା । ମାତ୍ର ବାରମ୍ବାର ବର୍ଷା କାରଣରୁ ରାସ୍ତା ମରାମତି କାମରେ ବାଧା ଉପୁଜିଥିଲା । ଶେଷରେ ଦୀର୍ଘ ୪୬ ଦିନ ପରେ ଖୋଲିଛି କଳିଙ୍ଗା ଘାଟି ରାସ୍ତା ।