ଆଜି ସକାଳେ ରାଜସ୍ଥାନର ଝାଲାୱାର ଜିଲ୍ଲା ମନୋହରଥାନା ବ୍ଲକର ପିପଲୋଡି ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ି ପଡ଼ିଥିଲା ଏବଂ ପରେ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୭ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ଏବଂ ଅନେକ ପିଲା ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଇଛି । ସେପଟେ ଜେସିବି ମେସିନ ଦ୍ୱାରା ଭଗ୍ନାବଶେଷ ହଟାଇଯାଇ ପିଲାଙ୍କୁ ଉଦ୍ଧାର କରାଯାଇଥିଲା ।

ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୁର୍ଘଟଣା ସମୟରେ ସ୍କୁଲରେ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା ଏବଂ ୨୦ ରୁ ଅଧିକ ପିଲା ଆହତ ହୋଇଥିଲେ। ଦୁର୍ଘଟଣାର ତୀବ୍ରତାକୁ ଦୃଷ୍ଟିରେ ରଖି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ପ୍ରଶାସନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟକୁ ଜୋରଦାର କରିଥିଲା।

ସୂଚନା ପାଇବା ପରେ, ଝାଲାୱାର କଲେକ୍ଟର ଏବଂ ଏସପି ଅମିତ କୁମାର ବୁଡାନିଆ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ । ଶିକ୍ଷା ମନ୍ତ୍ରୀ ମଦନ ଦିଲାୱର ଦୁର୍ଘଟଣାରେ ପିଲାମାନଙ୍କ ମୃତ୍ୟୁ ସମ୍ପର୍କରେ ନିଶ୍ଚିତ କରିଛନ୍ତି। ସେ ଫୋନ୍ ଯୋଗେ କଲେକ୍ଟରଙ୍କ ସହ କଥା ହୋଇ ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତ ପିଲାମାନଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।