ଖସିପଡି ଜଳିଗଲା ଯୁଦ୍ଧ ବିମାନ ମିଗ୍ ୨୭

(ମମତା ସାମଲ) : ଆକାଶରେ ଅଘଟଣ । ଆଜି ସକାଳେ ଭାରତୀୟ ବାୟୁସେନାର ଳଢ଼ୁଆ ଯୁଦ୍ଧ ବିମାନ ମିଗ୍‌ ୨୭ ରାଜସ୍ଥାନର ଯୋଧପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ମିଗ୍‌ ୨୭ ଲଢ଼ୁଆ ଯୁଦ୍ଧ ବିମାନର ପାଇଲଟ୍‌ ସୁରକ୍ଷିତ ଭାବେ ବେଲ ଆଉଟ୍‌ କରିଯାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି ସେ ସମ୍ପର୍କରେ ବିଶେଷ କିଛି ସୂଚନା ମିଳି ନାହିଁ । କିନ୍ତୁ ମାତ୍ର ୨ ମାସ ବ୍ୟବଧାନରେ ଏହା ଯୋଧପୁର ଅଞ୍ଚଳରେ ଦ୍ୱିତୀୟ ଘଟଣା ଯେଉଁଥିରେ ଦୁଇଟି ମିଗ୍‌ ୨୭ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନଷ୍ଟ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ ଜୁନ ମାସରେ ମଧ୍ୟ ଯୋଧପୁର ଠାରେ ଏକ ମିଗ୍‌ ୨୭ ଯୁଦ୍ଧବିମାନ ନିୟମିତ ଉଡ଼ାଣ ଆରମ୍ଭ କରିବା ପରେ ଏକ ଆବାସିକ ଅଞ୍ଚଳରେ ଖସିପଡ଼ିଥିଲା। ସେଥିରେ ମଧ୍ୟ ଦୁର୍ଘଟଣାର କେତେ ସେକେଣ୍ଡ ପୂର୍ବରୁ ପାଇଲଟ୍‌ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ସେହିପରି ୨୦୧୭ ନଭେମ୍ବର ମାସରେ ମଧ୍ୟ ଏକ୍‌ ମିଗ୍‌ ୨୭ ଯୁଦ୍ଧ ବିମାନ ଅବତରଣ କରୁଥିବାବେଳେ ଏହାର ଟାୟାର ଫାଟିଯିବାରୁ ଏହା ଯୋଧପୁରଏୟାରପୋର୍ଟର ରନ୍‌ଓ୍ଵରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।