ପୁଣି ବିଦେଶକୁ ଟିକା ରପ୍ତାନି ଆରମ୍ଭ କରିବ ଭାରତ
ଆସନ୍ତା ମାସରୁ ପୁଣି ବିଦେଶକୁ ଭାରତ ରପ୍ତାନି ଆରମ୍ଭ କରିବ କରୋନା ପ୍ରତିଷେଧକ ଟିକା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଏହି ଘୋଷଣା କରିଛନ୍ତି ।
(ଦିଲ୍ଲୀ) : ଆସନ୍ତା ମାସରୁ ପୁଣି ବିଦେଶକୁ ଭାରତ ରପ୍ତାନି ଆରମ୍ଭ କରିବ କରୋନା ପ୍ରତିଷେଧକ ଟିକା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଏହି ଘୋଷଣା କରିଛନ୍ତି । କୋଭ୍ୟାକ୍ସ କାର୍ଯ୍ୟକ୍ରମ ଅଧୀନରେ ଭାରତ ଅନ୍ୟ ଦେଶମାନଙ୍କୁ ଟିକା ରପ୍ତାନି କରି ‘ବସୁଧୈବ କୁଟୁମ୍ବକମ୍’ ଲକ୍ଷ୍ୟ ପୂରଣ କରିବ ବୋଲି ସେ କହିଛନ୍ତି । ଆସନ୍ତା ମାସରୁ ଦେଶକୁ ପ୍ରତିମାସରେ ପାଖାପାଖି ୩୦ କୋଟି ଡୋଜ୍ ଟିକା ମିଳିବ ।
ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିବାର ଗୋଟିଏ ଦିନ ପୂର୍ବରୁ ଭାରତ ଏହି ଘୋଷଣା କରିଛି । କୋଭ୍ୟାକ୍ସ ଚୁକ୍ତି ଅନୁସାରେ ଭାରତ ବିଦେଶକୁ କରୋନା ପ୍ରତିଷେଧକ ଟିକା ରପ୍ତାନି କରିବାର ଥିଲା । କିନ୍ତୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା କାରଣରୁ ଗତ ଏପ୍ରିଲରେ ଭାରତ ବିଦେଶକୁ ଟିକା ରପ୍ତାନି ବନ୍ଦ କରି ଦେଇଥିଲା । ଏବେ ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବାରୁ ପୁଣିଥରେ ଟିକା ରପ୍ତାନି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପସ୍ଥାପିତ ହେବା ପୂର୍ବରୁ ଭାରତ କୋଭ୍ୟାକ୍ସ ଚୁକ୍ତି ଅନୁଯାୟୀ ଟିକା ରପ୍ତାନି କରିବ ବୋଲି ଘୋଷଣା କରିଛି ।