ଭୁବନେଶ୍ଵର: ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିବ ‘ମୋନ୍ଥା’! ଭୀଷଣ ବାତ୍ୟା ‘ମୋନ୍ଥା’କୁ ନେଇ ସାମ୍ନାକୁ ଆସିଲା ବଡ଼ ଅପଡେଟ୍ । ଆନ୍ଧ୍ର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ଛୁଇଁବ ସ୍ଥଳ ଭାଗ ! ୨୮ ତାରିଖ ସଂଧ୍ୟାରୁ ରାତି ଭିତରେ କରିପାରେ ଲ୍ୟାଣ୍ଡଫଲ୍ । କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କିମି ବେଗରେ ବହିବ ପବନ ।

ସେପଟେ ଓଡ଼ିଶାରେ ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ । ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କନ୍ଧମାଳରେ ୫୦ରୁ ୭୦ କିମି ବେଗରେ ପବନ ବହିବା ନେଇ ସୂଚନା ରହିଛି । ଆଜିଠୁ ପାଗ ବଦଳୁଥିବାବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ।

୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆଯାଇଛି ସମାନ ଚେତାବନୀ। ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।