ବହୁଚର୍ଚ୍ଚିତ ପିପିଲି ଉପନିର୍ବାଚନ : ଭୋଟଗ୍ରହଣ ଆରମ୍ଭ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ବହୁଚର୍ଚ୍ଚିତ ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । କୋଭିଡ ଗାଇଡଲାଇନ୍ ମଧ୍ୟରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ ଟା ଯାଏଁ ଚାଲିବ ।
ଏହି ଉପନିର୍ବାଚନ ପାଇଁ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୩୪୮ଟି ବୁଥ୍ କରାଯାଇଛି।
୩୪୮ଟି ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି। କୌଣସି ପ୍ରକାର ଗଡ଼ବଡ଼କୁ ରୋକିବା ପାଇଁ ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବ୍କାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ସେହିପରି ୨୩ଟି ବୁଥ୍ ରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି। ଶୃଙ୍ଖଳିତ ମତଦାନ ପାଇଁ ୧୯୮୩ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ୩୨ଟି ମୋବାଇଲ୍ ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି।
ପିପିଲି ଓ ଡେଲାଙ୍ଗର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଓ ପୁଲିସ ମୁତୟନ ହୋଇଛନ୍ତି। ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ଟି ବୁଥରେ ହ୍ବିଲ୍ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି। ବୁଥକୁ ନେବା ଆଣିବା ପାଇଁ ଡେଲାଙ୍ଗ ବ୍ଲକରେ ୭୧ ଏବଂ ପିପିଲି ବ୍ଲକରେ୨୮ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନ ପରିଚାଳନା ପାଇଁ ୩୪୮ ବୁଥ୍ ପାଇଁ ୩୪୮ଟି ପୋଲିଂ ପାର୍ଟି ଗଠନ କରାଯାଇଥିବାବେଳେ ପ୍ରତି ଟିମରେ ସୁରକ୍ଷା କର୍ମୀଙ୍କୁ ମିଶାଇ ୫ ଜଣ ରହିଛନ୍ତି। ୭୦ଟି ପୋଲିଂ ପାର୍ଟି ରିଜର୍ଭ ରଖାଯାଇଛି।
ଭୋଟର ମାନେ ବିଭିନ୍ନ ବୁଥ୍ ରେ ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ୬ଟି ବୁଥରେ ଇଭିଏମ୍ ତ୍ରୁଟି ଥିବା ଅଭିଯୋଗ ହୋଇଛି । ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଏଠାରୁ ପ୍ରାର୍ଥୀ ହୋଇଥିବା ବେଳେ ଭାଜପାରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପାର୍ଥୀ ହୋଇଛନ୍ତି ।