ଭୁବନେଶ୍ଵର: ଆସୁଛି ଲଘୁଚାପ, ଆଣିବ କି ବର୍ଷା। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ। 24 ତାରିଖରେ ଅବପାତ ହୋଇ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବା ବେଳେ ଟେନ୍ସନ୍ ଦେଉଛି ବିଦେଶୀ ମଡେଲର ବାତ୍ୟା ଆକଳନ। ଆଇଏମ୍ଡି ପକ୍ଷରୁ ଏପର୍ଯ୍ୟନ୍ତ କେବଳ ଅବପାତ ଯାଏଁ ଆକଳନ କରାଯାଇଥିଲାବେଳେ ପାଣିପାଗ ବିଜ୍ଞାନୀଙ୍କ ମତ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦୁର୍ବଳ ହୋଇ ଯାଇପାରେ। ହେଲେ ଏସବୁ ଭିତରେ କିନ୍ତୁ ବର୍ଷା ଆଶଙ୍କାକୁ ନେଇ ଚିନ୍ତାରେ ଚାଷୀକୂଳ।

ଦକ୍ଷିଣ ଆଣ୍ଡାମାନ ସାଗରରେ କେନ୍ଦ୍ରୀୟ ଷ୍ଟ୍ରେଟ ଅଫ ମଲାକ୍କା ନିକଟରେ ସୃଷ୍ଟି ହୋଇଛି ଘୂର୍ଣ୍ଣିଳୟ । ପ୍ରଭାବରେ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବ। ଏହି ଘୂର୍ଣ୍ଣିବଳୟ ପାଇଁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ ଓ ୨୪ ତାରିଖ ବେଳକୁ ଦକ୍ଷିଣ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ୍ ୨୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ଏହାକୁ ନେଇ ବାତ୍ୟା ଆଶଙ୍କା କରାଯାଉଛି।

ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବା ସହ ୨୪ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମୁହାଁ ହୋଇ ଅଧିକ ଘନୀଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିନ୍ତୁ ବାତ୍ୟା ହେଲେ କୁଆଡ଼େ ରହିବ ଏହାର ଗତିପଥ। ଅଧିକାଂଶ ମଡେଲରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଇଛି।