ଭିଡ଼ ଭିତରେ ଅଭଦ୍ରଙ୍କ ଭଳି ସ୍ପର୍ଶ କରୁଥିଲା । ବିରୋଧ କରିବାରୁ ମହିଳାଙ୍କୁ ଟ୍ରେନରୁ ଠେଲି ଦେଲା । ଟ୍ରେନରୁ ପଡ଼ି କଟିଗଲା ମହିଳାଙ୍କ ହାତ ।।
ମୁମ୍ବାଇ ଲୋକାଲ ଟ୍ରେନରେ ହେଉଥିବା ଭିଡ଼ ଭିତରେ ଏପରି ଘଟଣା ଘଟଣା ଘଟିଛି। ଚଳନ୍ତା ଟ୍ରେନରୁ ଧକ୍କା ଖାଇଥିବା ମହିଳା ଜଣ ନିଜ ବାମ ହାତ ହରାଇଛନ୍ତି। ତାଙ୍କ ମୁଣ୍ଡରେ ୧୬ଟି ଷ୍ଟିଚ୍ ପଡ଼ିଛି। ଏବେ ସେ ହସ୍ପିଟାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ମୁମ୍ବାଇରେ ଲୋକାଲ ଟ୍ରେନରେ ପ୍ରତିଦିନ ହଜାର ହଜାର ଲୋକ ଏଥିରେ ଯାତାୟାତ କରନ୍ତି। କିନ୍ତୁ ଏପରି ଘଟଣା ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ୫୩ ବର୍ଷୀୟ ଜିତେନ୍ଦ୍ର ହିରମୁଖେକୁ ଗିରଫ କରିଛି। ଜିତେନ୍ଦ୍ରର ଘର ନୈଗାଓଁ ଇଷ୍ଟରେ ବୋଲି ଜଣାପଡ଼ିଛି।
ବୋରିଭାଲିରୁ ବୀରାର ଯାଉଥିବା ଲୋକାଲ ଟ୍ରେନରେ ମହିଳା ଜଣଙ୍କ ଯାତ୍ରା କରୁଥିଲେ। ଏହି ସମୟରେ ଟ୍ରେନରେ ପ୍ରବଳ ଭିଡ଼ ହୋଇଥିଲା। ଏହାର ଫାଇଦା ଉଠାଇ ଜିତେନ୍ଦ୍ର ବାରମ୍ବାର ମହିଳାଙ୍କୁ ଅଭଦ୍ରଙ୍କ ଭଳି ସ୍ପର୍ଶ କରିଥିଲା।
ଜିତେନ୍ଦ୍ର ଜାଣିଶୁଣି ଏପରି କରୁଥିବା ମହିଳା ଜଣଙ୍କ ବୁଝିବା ପରେ ବିରୋଧ କରିଥିଲେ। ସେ ନିଜର ଜୋତାରେ ଜିତେନ୍ଦ୍ରଙ୍କୁ ମାଡ଼ କରିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ସେଠାରେ ଉପସ୍ଥିତ ଅନ୍ୟ ଯାତ୍ରୀମାନେ ଏଥିରେ ହସ୍ତକ୍ଷେପ କରି ଦୁଇ ଜଣଙ୍କୁ ଚୁପ ରହିବାକୁ କହିଥିଲେ। କିନ୍ତୁ ଜିତେନ୍ଦ୍ର କିଛି ବି ଶୁଣି ନଥିଲା। ସେ ମଧ୍ୟ ମହିଳାଙ୍କୁ ଗାଳି ଗୁଲଜ କରି ଚପଲ ମାଡ଼ କରିଥିଲା।
ଏହାପରେ ତାଙ୍କୁ ଟ୍ରେନରୁ ନୈଗାଓଁ ଷ୍ଟେସନରେ ତଳକୁ ଠେଲି ଦେଇଥିଲା। ମହିଳା ଜଣଙ୍କ ତଳେ ପଡ଼ିବା ପରେ ପ୍ଲାଟଫର୍ମକୁ ଉଠିବାକୁ ଚେଷ୍ଟା କରୁଥିଲେ। ଏତିକି ବେଳେ ଟ୍ରେନ ଛାଡ଼ି ଦେଇଥିଲା ଓ ତାଙ୍କ ବାମ ହାତ ଉପରେ ମାଡ଼ି ଯାଇଥିଲା। ଏଥିଯୋଗୁ ମହିଳାଙ୍କୁ ତାଙ୍କ ବାମହାତ ହରାଇବାକୁ ପଡ଼ିଛି।