ବାଲିପାଟଣାରୁ ମାଉଜର ସହ ୨ଟି ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ

ରାଜଧାନୀ ଉପକଣ୍ଠ ବାଲିପାଟଣାରୁ ବନ୍ଧୁକ ଜବତ। ଅଭିଯୁକ୍ତ ନିକଟରୁ ଗୋଟିଏ ମାଉଜର, ଦୁଇଟି ବନ୍ଧୁକ ଓ ୮ଟି ଗୁଳି ଜବତ କରିଛି ପୋଲିସ। ଏଥିସହ ଏକ ଥାର୍ ଗାଡ଼ି ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ କାଳିଆ ନାମରେ ପୂର୍ବରୁ ୫ଟି ବନ୍ଧୁକ ସମ୍ପର୍କିତ ମାମଲା ରହିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବାଲି ବ୍ୟବସାୟ କରୁଥିବା ବେଳେ ନିଜ ପାଖରେ ବନ୍ଧୁକ ରଖୁଥିଲା। ବିଶେଷ କରି ବିହାରର ମୁଙ୍ଗେରରୁ ଚୋରାରେ ବନ୍ଧୁକ ଆଣୁଥିବା ଜଣାପଡ଼ିଛି। ଏପରିକି ଗତ ଦଶହରା ସମୟରେ ନିଜ ଗାଁ ନୋଡ଼ାଗାଁରେ ବନ୍ଧୁକ ଧରି ବ୍ଲାଙ୍କ ଫାୟାରିଂ କରିଥିଲା। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ନୋଡ଼ାଗାଁ ଗୋବିନ୍ଦପୁର ଥାନା ଅଧୀନରେ ଆସୁଥିବା ଜଣାପଡ଼ିଛି।

ଅଭିଯୁକ୍ତର ବେଆଇନ ବନ୍ଧୁକ କାରବାର ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରୁଛି।