ଜୁନ୍ ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଏକ ବିସ୍ତୃତ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରିଛି
ଭୁବନେଶ୍ୱର-: ଜୁନ୍ ୨୦ ତାରିଖ ଶୁକ୍ରବାର ଦିନ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁଗମ ଯାନବାହାନ ଚଳାଚଳ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କମିସନରେଟ୍ ପୋଲିସ ଏକ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରିଛି। ଯାତ୍ରୀମାନଙ୍କୁ ମାର୍ଗଦର୍ଶିକା ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ଜନତା ମଇଦାନରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥାନ ପର୍ଯ୍ୟନ୍ତ ଏକ ରୋଡ୍ ସୋ’ କରିବେ । ତେଣୁ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୁବନେଶ୍ୱର କେତେକ ମାର୍ଗଗୁଡ଼ିକ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି । ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ବିମାନବନ୍ଦର ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଏକ୍ସଆଇଏମବି ଛକ ଏବଂ ନାଲକୋ ଛକ ଆଦି ରହିଛି। ତେଣୁ ସେହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ଅଞ୍ଚଳମାନ ଦେଇ ଯାତ୍ରା ଏଡାଇବା ପାଇଁ ଜନସାଧାରଣମାନଙ୍କୁ ପରାମର୍ଶ ଦିଆଯାଇଛି ।
କାର୍ଯ୍ୟକ୍ରମ ପାଇଁ ଆସୁଥିବା ବସ୍ ଗୁଡ଼ିକର ରୁଟ୍ ଲାଇନ ବ୍ୟବସ୍ଥା:
କଟକ ପଟୁ ଆସୁଥିବା ବସ ଗୁଡ଼ିକ (ଜାତୀୟ ରାଜପଥ ନମ୍ବର-୧୬ ରେ) :-
ରସୁଲଗଡ଼ ରେଲୱେ ଓଭର ବ୍ରିଜ୍ ଠାରୁ ସର୍ଭିସ୍ ରୋଡ୍ ରେ ଆସି ବାଣୀବିହାର ଛକ – ଆଚାର୍ଯ୍ୟ ବିହାର ଛକ ଡାହାଣ ମୋଡ଼ – ଆପୋଲୋ ହସ୍ପିଟାଲ୍ – ସୈନିକ ସ୍କୁଲ୍ ।
ଖୋର୍ଦ୍ଧା ପଟୁ ଆସୁଥୁବା ବସ ଗୁଡ଼ିକ (ଜାତୀୟ ରାଜପଥ ନମ୍ବର-୧୬ ରେ) :-
ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ ଅତିକ୍ରମ କଲାପରେ ସର୍ଭିସ୍ ରୋଡ୍ – ଆଚାର୍ଯ୍ୟ ବିହାର ଛକ – ବାମ ମୋଡ଼ ଆପୋଲୋ ହସ୍ପିଟାଲ୍ – ସୈନିକ ସ୍କୁଲ୍ ରାସ୍ତା – ନାଲକୋ ଛକ – କଳିଙ୍ଗ ହସ୍ପିଟାଲ୍ ରାସ୍ତା – ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାଡିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ ରେ ପାକିଂ କରିପାରିବେ ।
ନନ୍ଦନକାନନ ପଟୁ ଆସୁଥୁବା ବସ ଗୁଡ଼ିକ :-
ନାଲକୋ ଛକ – କଳିଙ୍ଗ ହସ୍ପିଟାଲ୍ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ ରେ ପାକିଂ କରିପାରିବେ ।
ପୁରୀ ପଟୁ ଆସୁଥିବା ବସ ଗୁଡ଼ିକ :-
କଳ୍ପନା ଛକ – ରାଜମହଲ ଛକ – ବାମ ମୋଡ଼ – ଶିଶୁଭବନ ଛକ – ଡାହାଣ ମୋଡ଼ – ଶିଶୁଭବନ ଛକ ଠାରୁ କ୍ୟାପିଟାଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଲାଇନ୍ ରେ ପାକିଂ କରିପାରିବେ ।
ଏହା ବ୍ୟତୀତ, ଖୋର୍ଦ୍ଧା ପଟୁ ଭୁବନେଶ୍ୱର ଦେଇ କଟକ ଆଡ଼କୁ ଯିବାକୁ ଚାହୁଁଥୁବା ଭାରୀ ଯାନ ଗୁଡ଼ିକ (୬ କିମ୍ବା ଅଧୁକ ଚକିଆ – ଟ୍ରକ୍ ଏବଂ ଟ୍ରେଲର) ପିତାପଲ୍ଲୀ ଛକ ଠାରୁ ଚନ୍ଦକା ଛକ ଦେଇ କଟକ ଆଡ଼କୁ ଯାଇପାରିବେ ।
ସେହିପରି, କଟକ ପଟୁ ଆସୁଥୁବା ଭାରୀ ଯାନ ଗୁଡ଼ିକ (୬ କିମ୍ବା ଅଧିକ ଚକିଆ – ଟ୍ରକ୍ ଏବଂ ଟ୍ରେଲର) ବାଲିକୁଦା ଛକ ଠାରୁ ତ୍ରିଶୁଳିଆ ଛକ ଦେଇ ପିତାପଲ୍ଲୀ ଛକ ଆଡ଼କୁ ଯାଇପାରିବେ ।
ଉପରୋକ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ସହର ଏବଂ ଏହାର ଆଖପାଖରେ ରାସ୍ତାରେ ବିଶେଷକରି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ଜନତା ମଇଦାନ ରାସ୍ତା ଭାୟା କ୍ୟାପିଟାଲ ହସ୍ପିଟାଲ ଛକ – ଏ.ଜି.ଛକ ବାମ ମୋଡ଼ – ରାଜଭବନ ଛକ ଡାହାଣ ମୋଡ଼ – ପାୱାର ହାଉସ ଛକ – ୧୨୦ ବାଟାଲିୟ ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଏକ୍ସ.ଆଇ.ଏମ୍.ବି. ଛକ – ନାଲକୋ ଛକ ଏବଂ ଏହାର ସଂଯୋଗକାରୀ ରାସ୍ତା ମାନଙ୍କରେ ଦିନ ଅପରାହ୍ନ ୩ ଘଟିକା ଠାରୁ କାର୍ଯ୍ୟକ୍ରମ ସମାପ୍ତ ହେବା ପର୍ଯ୍ୟନ୍ତ ବ୍ୟାପକ ଟ୍ରାଫିକ୍ ଭିଡ଼ ହେବାର ଅନୁମାନ କରାଯାଉଛି ଏବଂ ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୋଲିସ ଭୁବନେଶ୍ୱର – କଟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ତେବେ ଉପରୋକ୍ତ କଟକଣା ଗୁଡିକ ଜରୁରୀ କାଳୀନ ସେବାରେ ନିଯୋଜିତ (ଫାୟାର ଓ ଆମ୍ବୁଲାନ୍ସ ) ଯାନବାହାନ ଗୁଡ଼ିକ ନିମନ୍ତେ ଉପରୋକ୍ତ କଟକଣା ଲାଗୁ ହେବ ନାହିଁ ।