(କଟକ) : ଗ୍ୟାଙ୍ଗଷ୍ଟାର ହାଇଦରର କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଚିନ୍ତାରେ ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରର ରିମାଣ୍ଡ ସ୍ଥଗିତ ରଖାଯାଇଥିବା ବେଳେ ହାଇଦରକୁ ଏବେ ଜେଲରେ ୭ ଦିନ ଆଇସୋଲେଶନରେ ରଖାଯାଇଛି । ୭ ଦିନର ଅବଧି ସରିବା ପରେ ହାଇଦରର ଆରଟିପିସିଆର ଟେଷ୍ଟ କରାଯିବ। ଏହାପରେ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ହାଇଦରକୁ ଧରିବାରେ ସାହାଯ୍ୟ କରିଥିବା ପୋଲିସ ଟିମକୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ହାଇଦର୍ ସହିତ ନିକଟତର ହୋଇଥିବା ଅନ୍ୟ ଅଧିକାରୀମାନଙ୍କୁ ବି ସତର୍କ କରି ଦିଆଯାଇଛି । ତେବେ ଏନେଇ ହାଇଦର୍ ଆସିଥିବା ସ୍ୱତନ୍ତ୍ର ବିମାନ ସଂସ୍ଥାକୁ ମଧ୍ୟ ଏ ବିଷୟରେ ଅବଗତ କରିଦିଆଯାଇଛି ।
ସୂଚନା ଥାଉକି, ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲରୁ ଏସସିବି ଆସିଥିଲା ହାଇଦର୍। ଗତ ଏପ୍ରିଲ ୧୦ରେ କଟକ ଏସସିବି ମେଡିକାଲରୁ ଗାର୍ଡଙ୍କୁ ଚକମା ଦେଇ ହାଇଦର୍ ଖସି ଯାଇଥିଲା। ପ୍ରାୟ ୫ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କରିଥିଲା ପୁଲିସ । ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଇଦରକୁ ଓଡିଶା ଅଣାଯାଇଥିଲା ।