୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିଶ୍ୱାସ

ଭୁବନେଶ୍ୱର:- ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କର ପରଲୋକ । ୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। କିଡନୀ ରୋଗରେ ପୀଡ଼ିତ ହୋଇ ବହୁଦିନ ହେବ ସେ ଚିକିତ୍ସିତ ହେଉଥିଲେ । ଗତକାଲି ରାତି ୧୦ ଟା ୫ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସେ ୨୦୦୪ ଓ ୨୦୦୯ ରେ ଲଗାତାର ଦୁଇଥର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କରେନ୍ଦ୍ର କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ଅଞ୍ଚଳର ଗୁମା ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ କୁଟିଆ କନ୍ଧ ସମ୍ପ୍ରଦାୟର ହୋଇଥିବା ବେଳେ ଏହି ସମ୍ପ୍ରଦାୟର ପ୍ରଥମ ଗ୍ରାଜୁଏଟ୍ । ୭ଟି ଆଦିବାସୀ ଭାଷାରେ ଗବେଷଣା କରି ସେ ନିଜର ସ୍ୱତନ୍ତ୍ର  ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଆ ଲିପିରେ କୁଇ ଭାଷାରେ ପିଲାଙ୍କ ରାମାୟଣ, ଆମ୍ବେଦକରଙ୍କ ଜୀବନୀ ଓ ଇତିହାସ ଏବଂ କୁଇ ଭାଷା ଅଭିଧାନ ଭଳି ତିନୋଟି ପୁସ୍ତକ ରଚନା କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ସେ ନିଜକୁ ପ୍ରତିପାଦିତ କରିଥିଲେ ।