ଆସୁଛି ‘ମୋନ୍ଥା’, ଚିନ୍ତାରେ ଚାଷୀ, ତରବରିଆ ଭାବେ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ

ଭୁବନେଶ୍ଵର: ମାଡ଼ିଆସୁଛି ବାତ୍ୟା ମୋନ୍ଥା । ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ଭୟଭୀତ ଉପକୂଳବାସୀ । ସେପଟେ ସମୁଦ୍ରରୁ ଫେରୁଛନ୍ତି ମତ୍ସ୍ୟଜୀବୀ । ବାତ୍ୟା ଆଲର୍ଟ ଜାରି ହେବାପରେ ଫେରୁଛି ଟ୍ରଲର୍ । ଅନ୍ୟପଟେ କଶିଆ ସମୁଦ୍ର ମୁହାଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ । ତୁରନ୍ତ ଫେରି ଆସିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ।

ତେବେ ବାତ୍ୟା ‘ମୋନ୍ଥା’କୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ବର୍ଷା ଓ ପବନରେ ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ଅମଳ ଫସଲକୁ ସାଇତିବାରେ ଲାଗିପଡିଛି ଚାଷୀ । ତରବରିଆ ଭାବେ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ । ବିଶେଷ କରି ଦକ୍ଷିଣ ଓଡିଶାରେ ଆଗାମି ୩ ଦିନ ଧରି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି ହୋଇ ଥିବାରୁ ଲୋକେ ଆତଙ୍କିତ ହୋଇ ଧାନ ସବୁ କାଟି ନେଉଛନ୍ତି ।

ସେପଟେ ବାତ୍ୟାକୁ ନେଇ ସଜାଗ ମତ୍ସ୍ୟଜୀବୀ । ଚିଲିକାରୁ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ ମେସିନକୁ ସୁରକ୍ଷିତ ସ୍ଥାନକୁ ନେଇ ଆସୁଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସହ ସହ ମତ୍ସ୍ୟଜୀବୀ ଚିଲିକାରେ ମାଛ ଧରିବା ଛାଡ଼ି ଉଚ୍ଚ ସ୍ଥାନକୁ ଚାଲି ଆସିଛନ୍ତି । ପୂର୍ବ ବାତ୍ୟାରେ ଚିଲିକାରେ ମତ୍ସଜୀବୀମାନଙ୍କ ଡଙ୍ଗା ଜାଲ ସମସ୍ତ ସାମଗ୍ରୀ ସେମାନଙ୍କର କ୍ଷତି ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ମିଳି ପାରିନାହିଁ  । ପୁଣି ଆଉ ଏକ ବତ୍ୟା ଖବର ସୁଣି ସେମାନଙ୍କ ମନରେ ଛନକା ପସି ଯାଇଛି ।