ଗିରଫ ହେଲେ ବିଦେଶୀ ପକ୍ଷୀ ଶିକାରୀ

ଟାଙ୍ଗୀ: ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ହାତରେ ୨ ଜଣ ପକ୍ଷୀ ଶିକାରୀ । ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟି, ଡଙ୍ଗା ଏବଂ ୭ଟି ବିଦେଶୀ ପକ୍ଷୀଙ୍କୁ ମୃତ ଅବସ୍ଥାରେ ଜବତ କରିଛି ବନ୍ୟପ୍ରାଣୀ ବିଭାଗ । ମୃତ ପକ୍ଷୀଙ୍କ ମଧ୍ୟରେ କୁକୁମ ଦଳ ଖୁମ୍ପି ଚଢେଇ, ବଡ଼ ହଂସରାଳି, କାମ ଚଢେଇ, ଗହିରା ଲାଞ୍ଜା, ପାତି ହଂସ ଏବଂ ଚାଟୁଆ ଗେଣ୍ଡି ପକ୍ଷୀ ଜବତ କରାଯାଇଛି ।


ସୂଚନା ଅନୁଯାୟୀ, ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ମଙ୍ଗଳାଯୋଡି ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ୨ ଜଣ ପକ୍ଷୀ ଶିକାରୀଙ୍କୁ ଗିରଫ କରାଯାଇଛି । ଏଥିସହ ସେମାନଙ୍କ ନିକଟରୁ ଏକ ଡଙ୍ଗା ଏବଂ ୭ ମୃତ ବିଦେଶୀ ପକ୍ଷୀ ଜବତ ହୋଇଛି ଗିରଫ ଶିକାରୀ ଦ୍ୱୟ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗଳାଯୋଡି ଗ୍ରାମର ବାହୁଡା ବେହେରା ଏବଂ ଭାଗବତ ବେହେରା । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପିଆର ଦମ୍ବର ୧୧ଟି/୨୧-୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଚୁଡାରାଣୀ ମୁର୍ମୁ । ଶୀତଋତୁରେ ଅନେକ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପେଟ୍ରୋଲିଂ କରାଯାଉଛି । ଏହା ସତ୍ତ୍ବେ ପକ୍ଷୀଙ୍କ ସୁରକ୍ଷା ବଳୟକୁ ଭେଦ କରି ପକ୍ଷୀ ଶିକାର କିଭଳି କରାଯାଉଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।