ବ୍ରେଣ୍ଡନ୍ ମ୍ୟାକଲମ୍ଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛି ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) । ଆସେସ୍ ଓ ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ଇଂଲଣ୍ଡର ସାଂଘାତିକ ବିପର୍ଯ୍ୟୟ ସତ୍ତ୍ୱେ ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ପୁନଃ ଆସ୍ଥା ପ୍ରକଟ କରିଛି ଇସିବି । ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ମ୍ୟାକ୍ଲମଙ୍କୁ ସମସ୍ତ ୩ ଫର୍ମାଟ ଲାଗି ପୁନଃନିଯୁକ୍ତ କରିଛି । ବେନ୍ ଷ୍ଟୋକ୍ସ ଟେଷ୍ଟ୍ ଅଧିନାୟକ ପଦ ମଧ୍ୟ ବଜାୟ ରଖିଥିବା ବେଳେ, ହ୍ୟାରି ବ୍ରୁକ୍ଙ୍କୁ ତାଙ୍କ ଡେପୁଟି ଭାବେ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି । ଆସେସ୍ରେ ଇଂଲଣ୍ଡ ୧-୪ ପରାଜୟ ବରଣ କରିଥିବାବେଳେ ଚଳିତ ମାସରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍ରେ ଭାରତ ନିକଟରୁ ହାରି ବିଦାୟ ନେଇଥିଲା ।
ଇସିବିର ପୁରୁଷ ଦଳ ପରିଚାଳନା ନିର୍ଦ୍ଦେଶକ ରବ୍ କି କହିଛନ୍ତି ମ୍ୟାକଲମ ଜଣେ ଶ୍ରେଷ୍ଠ ବ୍ୟକ୍ତି, ଯିଏ ଦଳକୁ ଠିକ ପଥରେ ନେଇପାରିବେ । କିଛି ଦିନ ତଳେ ଅଲ୍ରାଉଣ୍ଡର୍ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଅଭିଯୋଗ କରିଥିଲେ ବର୍ତମାନର ପରିଚାଳନା ବ୍ୟବସ୍ଥା କୋର୍ ଗ୍ରୁପ୍ ଖେଳାଳିଙ୍କୁ ଖାତିର କରୁନାହିଁ । ବ୍ରିଟିସ୍ ମିଡିଆ ମଧ୍ୟ ଲେଖିଥିଲା ଯେ, ବାହାରକୁ ଏକାଠି ଦିଶୁଥିଲେ ମଧ୍ୟ ଆସେସ୍ ପରାଜୟ ସମୟରେ ବେନ୍ ଷ୍ଟୋକ୍ସଙ୍କ ସହ ବ୍ରେଣ୍ଡନ୍ ମ୍ୟାକ୍ଲମଙ୍କ ସମ୍ପର୍କ ବିଗିଡ଼ି ଯାଇଛି । ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ୍ ପାଇଁ ୧୦ ଟେଷ୍ଟ୍ ଖେଳିଥିବା ବ୍ରେଣ୍ଡନ୍ ମ୍ୟାକଲମ୍ ୨୦୨୨ରୁ ଇଂଲଣ୍ଡ୍ ଦଳର ପ୍ରଶିକ୍ଷକ ଭୂମିକାରେ ରହିଛନ୍ତି ।
