ଚନ୍ଦ୍ରଶେଖରପୁର ମୌଜାରେ ସରକାରୀ ଜମିରୁ ହଟିଲା ଜବରଦଖଲ

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ଉଚ୍ଛେଦକାରୀ ଦଳ ମଙ୍ଗଳବାର ଚନ୍ଦ୍ରଶେଖରପୁର ମୌଜାରେ ଜବରଦଖଲ ଉଚ୍ଛେଦ କରିଛି । ସରକାରୀ ଜମି ଖାତା ନମ୍ବର ୬୧୯ରେ ବୁଲଡୋଜର ବୁଲିଥିବା ବେଳେ ସମୟ ଅଭାବରେ ଆଂଶିକ ଉଚ୍ଛେଦ ପରେ ଏହାକୁ ବନ୍ଦ ରଖାଯାଇଛି । ଆଂଶିକ ଉଚ୍ଛେଦରେ ୬ଟି ନିର୍ମାଣାଧୀନ କୋଠା ସହ ୮ଟି ଆଜବେଷ୍ଟ ଘର, ଟୀଣ ଘର ଓ ପଥର ନିର୍ମିତ ଘର ସହ ୨ଟି ଶୌଚାଳୟ ଓ ଗୋଟିଏ ହୋଟେଲକୁ ବିଡିଏ ଭାଙ୍ଗିଛି । ଜବରଦଖଲରେ ମୋଟ ୧୨.୭୫୦ ଡିସିମିଲ ସରକାରୀ ଜମିରୁ ପ୍ଲଟ ନମ୍ବର ୨୯୩ର ପ୍ରାୟ ୦.୨୦୦ ଡିସିମିଲ ଅଞ୍ଚଳରୁ ଓ ପ୍ଲଟ ନମ୍ବର ୨୬୮ର ପ୍ରାୟ ୦.୩୦୦ ଡିସିମିଲ ଅଞ୍ଚଳରୁ ଜବରଦଖଲ ହଟିଛି । ଉଚ୍ଛେଦରେ ବିଡିଏର ଗୋଟିଏ ଜେସିବି କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ବିଡିଏ ଏନଫୋର୍ସମେଣ୍ଟ ଓଏସଡି ଦେବରାଜ ସେଠୀ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, କନିଷ୍ଠ ଏନଫୋର୍ସମେଣ୍ଟ ଅଫିସର ସିଦ୍ଧାନ୍ତ ସାହୁ, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଗିରିଶ ମହାରଣା ଏନଫୋର୍ସମେଣ୍ଟ ସ୍କ୍ବାଡ୍ ସହ ଗୋଟିଏ ପ୍ଲାଟୁନ ପୁରୁଷ ଓ ମହିଳା ପୋଲିସର ଏକ ସେକ୍ସନ ଅଧିକାରୀ ଆଇନଶୃଙ୍ଖଳା ଲାଗି ଉଚ୍ଛେଦରେ ସାମିଲ୍ ହୋଇଥିଲେ ।  ବାକି ଥିବା ଜବରଦଖଲ ବୁଧବାର ଭଙ୍ଗାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି ।