ସମ୍ପର୍କକୁ ସୁଧାରିବା ପାଇଁ କ୍ଷମା ପ୍ରାର୍ଥନା କଲେ ଏଲୋନ ମସ୍କ

ନୂଆଦିଲ୍ଲୀ-: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଟେସଲା ମାଲିକ ଏଲୋନ ମସ୍କଙ୍କ ସଂପର୍କ ଏବେ ନୂଆ ମୋଡ ନେଲାଣି । ଲାଗୁଛି ଦୁହିଁଙ୍କ ମଧ୍ୟରେ ବଢୁଥିବା ତିକ୍ତ ସମ୍ପର୍କ ଏବେ ପୁଣିଥରେ ଟ୍ରାକକୁ ଫେରୁଛି । କାରଣ ଏଲୋନ ମସ୍କ ନିଜେ ସମ୍ପର୍କକୁ ସୁଧାରିବା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ମସ୍କ ଏକ୍ସରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ଯାହା ଘଟିଲା ତାହା ବହୁତ ଅଧିକ ଥିଲା । ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ଶେୟାର କରାଯାଇଥିବା କିଛି ପୋଷ୍ଟ ପାଇଁ ମୁଁ ଦୁଃଖିତ ।

କିଛିଦିନ ହେବ ଏଲୋନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା । ଟ୍ରମ୍ପଙ୍କ ଦ୍ୱାରା ଆଗତ ଏକ ବିଲ୍ କୁ ମସ୍କ ସାର୍ବଜନୀନ ଭାବରେ ବିରୋଧ କରିବାରୁ ବିବାଦ ଆରମ୍ଭ ହୋଇଥିଲା । ପରସ୍ପରର ଅତି ନିକଟତର ବୋଲି ବିବେଚିତ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ମଧ୍ୟ ବାକ୍ ଯୁଦ୍ଧ ଦେଖାଯାଇଥିଲା । ସୋସିଆଲ ମିଡିଆରେ ଦୁହେଁ ଦୁହିଁଙ୍କୁ ଆରୋପ ପ୍ରତ୍ୟାରୋପ କରୁଥିବା ବେଳେ ଏହି ନିକଟରେ ଏକ ସାକ୍ଷାତକାରରେ ମସ୍କଙ୍କୁ ଖୋଲା ଧମକ ଦେଇଥିଲେ ଟ୍ରମ୍ପ । ଯଦି ମସ୍କ ବିରୋଧୀ ଦଳକୁ ସାହାଯ୍ୟ କରିବାକୁ ଚିନ୍ତା କରନ୍ତି ତାହେଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିପାରେ । ଏମିତିକି ତାଙ୍କୁ ସରକାରୀ ପାଣ୍ଠି ମଧ୍ୟ ବନ୍ଦ କରିବା ନେଇ ଚେତାବନୀ ଦେଇଥିଲେ ଟ୍ରମ୍ପ ।