ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା

ଭୁବନେଶ୍ୱର-: ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ଆବୁଧାବିକୁ ବିମାନ ଉଡ଼ିବ ।  ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ କୁଆଲାଲାମ୍ପୁର ପରେ ଏବେ ଓଡିଶା ବିମାନ ଯାତ୍ରାରେ ଆଉ ଏକ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ।

ଆସନ୍ତା ଜୁନ ୧୨ରେ ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସଂଯୁକ୍ତ ଆରବ ଏମିରାତ୍‌(ୟୁଏଇ) ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ। ତେବେ ଏହି  ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ମାର୍ଗଦର୍ଶନରେ ନୂଆ ଡେଷ୍ଟିନେସନ୍‌ ପଲିସି(ଏନ୍‌ଡିପି)-୨୦୨୪ ଆଧାରରେ ରାଜ୍ୟର ପର୍ଯ୍ୟଟନ ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଉଛି । ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡ଼ିବା ଦ୍ବାରା ରାଜ୍ୟର ଅର୍ଥନୈତିକ ବିକାଶ ସହ ପର୍ଯ୍ୟଟନ ଓ ସଂସ୍କୃତିର ଆଦାନ ପ୍ରଦାନ ବଢ଼ିବ । ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଇଣ୍ଡିଗୋର ଏକ ବିମାନ ସପ୍ତାହକୁ ୩ଦିନ ମଙ୍ଗଳବାର, ଗୁରୁବାର ଓ ଶନିବାର ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ାଣ କରିବ ।