ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ସହଦେବ ଟିକରପଡ଼ା ଗ୍ରାମ ପଞ୍ଚାୟତର ଉସ୍ତପଲ୍ଲୀ ଗାଁରେ ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଦିଗପହଣ୍ଡି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଗାଁର ଆଉ ୧୦ ଆକ୍ରାନ୍ତ ବ୍ରହ୍ମପୁର ଓ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ପାଣି ନମୁନା ସଂଗ୍ରହ କରି ଲ୍ୟାବ୍କୁ ପଠାଯାଇଥିବା ନେଇ ସୂଚନା ମିଳିଛି ।
ସୂଚନାନୁଯାୟୀ, ଦିଗପହଣ୍ଡି ବ୍ଲକ୍ ସହଦେବ ଟିକରପଡ଼ା ଗ୍ରାମ ପଞ୍ଚାୟତର ଉସ୍ତପଲ୍ଲୀ ଗ୍ରାମରେ ଦୁଇ ଦିନ ଧରି ଝାଡ଼ାବାନ୍ତି ଲାଗି ରହିଛି। ଗୋଟିଏ ପରିବାରର ୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ୫୫ ବର୍ଷିୟ ଦାସ ଶବର । ସେହିପରି ତାଙ୍କ ପରିବାରର ଅନ୍ୟ ତିନିଜଣ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପଟେ ଗାଁର ଆଉ ୧୦ ଜଣ ଆକ୍ରାନ୍ତ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। ଦିଗପହଣ୍ଡି ଅଞ୍ଚଳରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ବିଧାୟକ ଉସ୍ତପଲ୍ଲୀ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।