ନୂଆଦିଲ୍ଲୀ: ଇଣ୍ଡିଗୋ କ୍ରାଇସିସ୍ ପରେ ଦେଶରେ ବିମାନ ଚଳାଚଳରେ ସମସ୍ୟା ଦେଖାଦେଇଛି । ହଠାତ୍ ହୁ ହୁ ହୋଇ ବଢୁଛି ବିମାନ ଟିକେଟ୍ ଦର । କିନ୍ତୁ ଏସବୁ ଭିତରେ ସବୁଠାରୁ ଚକିତ କରିଦେବା ଭଳି ଘଟଣାଟି ହେଉଛି ବିଦେଶ ଯାତ୍ରାର ଭଡା ଠାରୁ ଦେଶ ଭିତରର ଭଡା ମହଙ୍ଗା ହୋଇଛି । ଦିଲ୍ଲୀରୁ ଦୁବାଇ ଯାତ୍ରା ପାଇଁ ଭଡ଼ା ୨୩ ହଜାର ଏବଂ ବେଙ୍ଗାଲୁରୁରୁ ଦୁବାଇ ଯାତ୍ରା ପାଇଁ ଭଡ଼ା ୧୮ ହଜାର ଥିବା ବେଳେ ଦେଶର ପ୍ରମୁଖ ସହରରୁ ଅନ୍ୟ ସହରକୁ ଯାତ୍ରା ପାଇଁ ବିମାନ ଦର ୧୦ ଗୁଣା ବୃଦ୍ଧି ପାଇଛି । ଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନ ଭଡ଼ା ଆଜି ରହିଛି ୭୦ ହଜାର ଟଙ୍କା । କିନ୍ତୁ ଦିଲ୍ଲୀରୁ ଲଣ୍ଡନକୁ ମାତ୍ର ୨୫ ହଜାର ଟଙ୍କା । ଏହି ଘଟଣାକୁ ନେଇ ସାରା ଦେଶରେ ଯାତ୍ରୀ ହନ୍ତସନ୍ତ । ଗୋଟେପଟେ ଇଣ୍ଡିଗୋ ସଙ୍କଟ ଏବଂ ଅନ୍ୟପଟେ ଟିକେଟର ଚଢା ଦର । ଦୁଇ ଗୁଣା କି ୩ ଗୁଣା ନୁହେଁ ବରଂ ଏକାଥରେ ୧୦ ଗୁଣା ବଢିଛି ଟିକେଟର ଦର । ଯାହା ସିଧାସଳଖ ଯାତ୍ରୀଙ୍କ ପକେଟ୍ ଉପରେ ପ୍ରଭାବ ପକାଇଛି । ଆଉ ଯାତ୍ରୀଙ୍କ ଯନ୍ତ୍ରଣା ଆହୁରି ବଢିଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ଦିଲ୍ଲୀ-ଚେନ୍ନାଇ- ୬୮, ୯୩୨ ଟଙ୍କା ଟିକେଟ୍ ଦର ଥିବା ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ୩୯, ୧୦୧ ଟଙ୍କା, ଅହମଦାବାଦ-ମୁମ୍ବାଇ ୨୦, ୩୫୯ ଟଙ୍କା, କୋଲକାତା-ମୁମ୍ବାଇ ୩୧, ୪୪୪ ଟଙ୍କା, କୋଲକାତା-ବେଙ୍ଗାଲୁରୁ ୨୪, ୧୭୬ ଟଙ୍କା, ପୁଣେ-କୋଲକାତା ୨୪, ୯୪୮ ଟଙ୍କା, ପୁଣେ-ହାଇଦ୍ରାବାଦ ୧୭, ୫୦୧ ଟଙ୍କା, ଦିଲ୍ଲୀରୁ ମୁମ୍ବାଇ ୨୫ ହଜାର (ରବିବାର), ପୁଣେରୁ କୋଲକାତା ୬୯, ୦୦୦ (ଶନିବାର), ଦିଲ୍ଲୀ-ପାଟଣା ୨୯ ହଜାର ଏବଂ ଦିଲ୍ଲୀରୁ ବେଙ୍ଗାଲୁରୁ ୩୩ ହଜାର ଟଙ୍କା ଦରରେ ବିକ୍ରି ହେଉଛି ଟିକେଟ୍ ।