ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ସମୁଦ୍ର ଭିତରେ ହେଉଛି ବଡ଼ ହଲଚଲ୍

ଭୁବନେଶ୍ଵର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମୁଦ୍ର ଭିତରେ ହେଉଛି ବଡ଼ ହଲଚଲ୍ । ଆଜି ଅବପାତର ରୂପ ନେଇପାରେ ୱେଲ ମାର୍କ ଲୋପ୍ରେସର । ଏହା ଆହୁରି ଘନୀଭୂତ ହୋଇ ୪୮ ଘଣ୍ଟା ଭିତରେ ବା ୨୭ ତାରିଖ ଗୁରୁବାର ସୁଦ୍ଧା ନେଇପାରେ ବାତ୍ୟା ରୂପ । ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ।

ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ ଅବପାତର ରୂପ ନେଇଛି। ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ଆଣ୍ଡାମାନ ଉପରେ ଥିବା ଅବପାତ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡିଶା ଉପରେ ରହିବ ନାହିଁ। କିଛି ସ୍ଥାନରେ ମେଘୁଆ ପାଗ ଦେଖାଯିବ , ଶୀତର ପ୍ରଭାବ ସାମାନ୍ୟ ରହିବ। କାଲିଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ଏବଂ ଶୀତ ଅନୁଭବନ ହେବ।

୨୭ ତାରିଖ ବେଳକୁ ବାତ୍ୟା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।  ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ସେନ୍ୟାର । ECMWF ଓ GOOGLE ମଡେଲ ଅନୁସାରେ ଶ୍ରୀଲଙ୍କା ତଟରେ ସଂଗଠିତ ଘୂର୍ଣ୍ଣିବଳୟ ଅଧିକ ପ୍ରଭାବୀ ରହିବା ଆକଳନ କରାଯାଇଛି ।  ଦୁଇ ଦୁଇଟି ସିଷ୍ଟମ ସକ୍ରିୟ ଥିବାରୁ ବିଭିନ୍ନ ପାଣିପାଗ ସଂସ୍ଥା ଏହା ଉପରେ ନଜର ରଖିଛନ୍ତି । କିଛି ପାଣିପାଗ ମଡେଲ ଆକଳନରେ ଦୁଇଟି ସିଷ୍ଟମ ମିଶ୍ରଣ ହୋଇପାରେ ।  କିନ୍ତୁ ମଲ୍ଲାକା ଷ୍ଟ୍ରେଟ ସିଷ୍ଟମ ବାତ୍ୟାରେ ପରିଣତ ହେଲେ ଏହା ଅଧିକ ଶକ୍ତିଶାଳୀ ହେବା ସହ ଘଣ୍ଟାପ୍ରତି ୧୮୦ରୁ ୧୯୦ କିମି ପର୍ଯ୍ଯନ୍ତ ପବନ ବହିପାରେ ।  ସେପଟେ ଶ୍ରୀଲଙ୍କା ନିକଟ ସିଷ୍ଟମ କେବଳ ବାତ୍ୟାର ରୂପ ନେବା ଆକଳନ କରାଯାଇଛି। ତେବେ ଶ୍ରୀଲଙ୍କା ନିକଟ ସିଷ୍ଟମ ଲଘୁଚାପର ରୂପ ନେବା ପରେ ହିଁ ଏଥିରେ ସ୍ପଷ୍ଟତା ଆସିପାରିବ ବୋଲି କୁହାଯାଇଛି ।