ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ମିଚାଉଁ । ଏହା ଫଳରେ ପାଗ ବଦଳିଯାଇଛି । ରବିବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ ଦକ୍ଷିଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି । ସୋମବାର ଏହି ସ୍ଥିତିରେ ଆହୁରି ପରିବର୍ତ୍ତନ ଆସିବା ସହ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଧୀରେ ଧୀରେ ବର୍ଷା ବଡିବା ସହ ୫ରେ ବାତ୍ୟା ସର୍ବାଧିକ ପ୍ରଭାବ ପଡିବ । ସେହିଦିନ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପବନର ବେଗ ବଢ଼଼ି ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବାତ୍ୟା ମିଚାଉଁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବା ସହ ଘଣ୍ଟା ପ୍ରତି ୮ କିମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ରବିବାର ସନ୍ଧ୍ୟା ସୁଦ୍ଧା ପୁଡୁଚେରୀଠାରୁ ୨୪୦ କିଲୋମିଟର ପୂର୍ବ, ଚେନ୍ନାଇଠାରୁ ୨୧୦ କିମି. ଏବଂ ନେଲୋର୍ଠାରୁ ୩୩୦ କିମି. ଦୂରରେ ରହିଛି। ଏହା ପରବର୍ତ୍ତୀ ସମୟରେ ଆଗକୁ ବଢ଼଼ିବା ସହ ୪ ତାରିଖ ପୂର୍ବାହ୍ନ ବେଳକୁ ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିମି. ଏବଂ ଝଟକା ପବନର ବେଗ ୧୧୦ କିମି. ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗରରେ ସକ୍ରିୟ ବାତ୍ୟାକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦରଗୁଡିକ ପାଇଁ ୨ ନଂବର ବିପଦ ସଂକେତ ଜାରି କରାଯାଇଛି। ୫ ତାରିଖ ସନ୍ଧ୍ୟାରୁ ପରବର୍ତ୍ତୀ ୧୨ଘଣ୍ଟା ଯାଏଁ ୪ ରୁ ୫୦କିମି. ଏବଂ ୬୦ କିମି. ବେଗରେ ଝଟକା ପବନର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳର ସମୁଦ୍ରକୁ ଯିବା ପାଇଁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।