କ୍ରସ୍‌ ଭୋଟିଂରେ ବଦଳିଗଲା ରାଜ୍ୟସଭା ଫଳାଫଳ, ବାଜିମାତ୍ କଲେ ଦିଲ୍ଲୀପ ରାୟ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଗଣତି ସରିବା ପରେ ଚମତ୍କାର ପରିଣାମ ଦେଖିବାକୁ ମିଳିଛି। କ୍ରସ୍‌ ଭୋଟିଂ ନିର୍ବାଚନର ସମୀକରଣକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛି। ଏହି ନିର୍ବାଚନରେ ଦିଲ୍ଲୀପ ରାୟ ବାଜିମାତ୍ କରିଥିବାବେଳେ ଦତ୍ତେଶ୍ଵର ହୋତା ପରାଜିତ ହୋଇଛନ୍ତି। ଭୋଟ୍‌ ଗଣନା ଅନୁସାରେ ସଂତୃପ୍ତ ମିଶ୍ର ୩୧ଟି ଭୋଟ୍‌ ପାଇଥିବାବେଳେ ଦିଲ୍ଲୀପ ରାୟଙ୍କୁ ୩୪ଟି ଭୋଟ୍‌ ମିଳିଛି। ସେହିପରି ଦତ୍ତେଶ୍ୱର ହୋତା ୨୩ଟି ଭୋଟ୍‌ ପାଇଥିବାବେଳେ ସୁଜିତ୍ କୁମାର ୨୯ଟି ଭୋଟ୍‌ ହାସଲ କରିଛନ୍ତି। ଏହା ସହିତ ଦିଲ୍ଲୀପ ରାୟ ରାଜ୍ୟସଭାକୁ ଯାଇ ପାର୍ଲାମେଣ୍ଟରେ ଓଡ଼ିଶାର ବିଭିନ୍ନ ସମସ୍ୟା ଉଠାଇବେ ବୋଲି ଆଶା କରାଯାଉଛି।

ଏଥିବେଳେ ରାଜ୍ୟସଭା ନିର୍ବାଚନ ପାଇଁ ୪ଟି ଆସନରେ ୫ଜଣ ପ୍ରାର୍ଥୀ ପ୍ରତିଯୋଗିତା କରିଥିଲେ। କିନ୍ତୁ ଭୋଟିଂ ସମୟରେ ହୋଇଥିବା କ୍ରସ୍‌ ଭୋଟିଂ ନିର୍ବାଚନର ମୋଡ଼କୁ ପୂରା ବଦଳାଇଦେଇଥିଲା। ସୂଚନା ଅନୁସାରେ ପ୍ରାୟ ୧୧ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଥିବା ଖବର ମିଳିଛି। ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ଜଣାଇଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି ସେମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି ଏବଂ କିଛି ନେତାଙ୍କ ପରିବାର ସଦସ୍ୟ ମଧ୍ୟ ଜେଲରେ ରହିଛନ୍ତି। ସେ ପୁନର୍ବାର ଅଭିଯୋଗ କରିଛନ୍ତି ଯେ ବିଜେପି ଘୋଡ଼ା ବେପାର କରୁଛି ବୋଲି ସେ ପୂର୍ବରୁ ମଧ୍ୟ କହିଥିଲେ। ଏହା ସହ ଏହି ଘଟଣାକୁ ନେଇ ବିଧାନସଭାରେ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ନବ ମଲ୍ଲିକଙ୍କୁ କେନ୍ଦ୍ର କରି ଶାସକ ଓ ବିରୋଧୀ ଦଳର ନେତାମାନେ ମୁହାଁମୁହିଁ ହୋଇଥିବାରୁ ସଭାରେ ଗଣ୍ଡଗୋଳ ପରିସ୍ଥିତି ଦେଖାଦେଇଥିଲା।