ଆସନ୍ତା ବର୍ଷ ପ୍ରାରମ୍ଭରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ଦଳ ଏବେଠାରୁ ନିଜର ନିର୍ବାଚନୀ ରଣନୀତିକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିପଡ଼ିଛି। ଦଳର ଲକ୍ଷ୍ୟ ହେଉଛି ପୁଣିଥରେ କ୍ଷମତାକୁ ଫେରିବା ଏବଂ ସେଥିପାଇଁ କେରଳରେ ସଫଳ ହୋଇଥିବା ମଡେଲକୁ ପଞ୍ଜାବରେ ପ୍ରୟୋଗ କରିବାର ପ୍ରସ୍ତୁତି ଚାଲିଛି।
![]()
ଦଳୀୟ ସୂତ୍ର ଅନୁସାରେ, ଏଥର କଂଗ୍ରେସ ତାହାର କୌଣସି ଲୋକସଭା ସାଂସଦଙ୍କୁ ବିଧାନସଭା ନିର୍ବାଚନ ଟିକେଟ୍ ଦେବ ନାହିଁ। ବରଂ ସେମାନଙ୍କୁ ନିଜ ନିଜ ପ୍ରଭାବ ଅଞ୍ଚଳରେ ଅଧିକରୁ ଅଧିକ ଆସନ ଜିତାଇବାର ଦାୟିତ୍ୱ ଦିଆଯିବ। ଦଳ ମନେ କରୁଛି ଯେ ଏହା ଦ୍ୱାରା ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ କମିବ ଏବଂ ସ୍ଥାନୀୟ ନେତୃତ୍ୱକୁ ସୁଯୋଗ ମିଳିବ। ସବୁଠାରୁ ବଡ଼ କଥା ହେଲା, ଟିକେଟ୍ ବଣ୍ଟନରେ କୌଣସି ବରିଷ୍ଠ ନେତାଙ୍କ କୋଟା ବ୍ୟବସ୍ଥା ରହିବ ନାହିଁ। ଦଳୀୟ ସର୍ଭେ, ଗ୍ରାଉଣ୍ଡ ରିପୋର୍ଟ ଏବଂ ପ୍ରଭାରୀଙ୍କ ମତାମତ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଏହା ସହ ଅଧାରୁ ଅଧିକ ଆସନରେ ନୂଆ ମୁହଁଙ୍କୁ ସୁଯୋଗ ଦେବାକୁ ଦଳ ଚିନ୍ତା କରୁଛି।
ଏଥର ‘ଗୋଟିଏ ପରିବାର-ଗୋଟିଏ ଟିକେଟ୍’ ଫର୍ମୁଲା ମଧ୍ୟ ଲାଗୁ ହୋଇପାରେ। ଅର୍ଥାତ୍ ରାଜନୈତିକ ପରିବାରରୁ କେବଳ ଜଣେ ସଦସ୍ୟଙ୍କୁ ଟିକେଟ୍ ମିଳିବ। ପରିବାରବାଦ ଓ ଗୋଷ୍ଠୀ ରାଜନୀତିକୁ ରୋକିବା ପାଇଁ ଦଳ ଏହି ପଦକ୍ଷେପ ନେଇପାରେ। ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ କେରଳରେ କଂଗ୍ରେସ ନେତୃତ୍ୱାଧୀନ UDF ଏହି ଧରଣର ରଣନୀତି ଅପନାଇ ଭାରୀ ବିଜୟ ହାସଲ କରିଥିଲା। ୧୪୦ ଆସନ ବିଶିଷ୍ଟ ବିଧାନସଭାରେ UDF ୧୦୨ ଆସନ ଜିତି କ୍ଷମତାକୁ ଫେରିଥିଲା। ଏହି ସଫଳତା ପରେ ପଞ୍ଜାବରେ ମଧ୍ୟ ସେହି ମଡେଲକୁ ପ୍ରୟୋଗ କରିବାକୁ କଂଗ୍ରେସ ଆଶାବାଦୀ ରହିଛି।