ଆମ ପାଇଁ ଦରମା ପାଉଛ

ଭିନ୍ନକ୍ଷମ ମହାସଂଘର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା

ରାୟଗଡା: ପାରୁନ ଯଦି ଚାକିରୀ ଛାଡିଦିଅ। ଏଭଳି ଶୁଣିବାକୁ ମିଳିଥିଲା ଜଣେ ଭିନ୍ନକ୍ଷମ ମହିଳାଙ୍କ ପାଟିରୁ। ଯାହାକୁ ନେଇ ଧାରଣା ସ୍ଥଳରେ ଉପସ୍ଥିତ ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି ତାଜୁବ ହୋଇଯାଇଥିଲେ। ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ମହାସଂଘ ଗଠନ ହୋଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା କ୍ଷେତ୍ରରେ,ଭତ୍ତା କ୍ଷେତ୍ରରେ,ପ୍ରମାଣପତ୍ର , ଆବଶ୍ୟକ ଆନୁଷଙ୍ଗିକ ସରଞ୍ଜାମ ପ୍ରାପ୍ତ କ୍ଷେତ୍ରରେ ମହାସଂଘର ଅବଦାନ ଅବର୍ଣ୍ଣନୀୟ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଜିଲ୍ଲାର ବିଭିନ୍ନ କାର୍ୟ୍ୟାଳୟରେ ସବୁବେଳେ ଭିନ୍ନକ୍ଷମଙ୍କୁ ଅବହେଳା,ଦୁର୍ବ୍ୟବହା,ଦିବ୍ୟାଙ୍ଗ ସମ୍ପର୍କରେ ପଚାରିଲେ ଏଠାରେ ତୁମମାନଙ୍କ କାମ କିଛି ହୋଇପାରିବ ନାହିଁ ବୋଲି ରୋକ ଠୋକ ମନା କରିଦେଉଥିବା ଏବଂ ସବୁ ବେଳେ ଅଣଦେଖା ହେଉଥିବା ନେଇ ମହାସଂଘ ଅଭିଯୋଗ କରୁଥିଲା।

ଗତ କିଛି ଦିନ ପୂର୍ବରୁ କଲନରା ବ୍ଲକ ମୁକୁନ୍ଦପୁର ଠାରେ ବ୍ଲକ ସ୍ତରୀୟ ମା କୂଳବନ୍ଧ ଭିନ୍ନକ୍ଷମ ମହାସଂଘ ପଞ୍ଜିକୃତ ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗକୁ ଏନ ଓ ସି ପାଇଁ ଅନେକ ଥର ଦୌଡ଼ି ଦୌଡ଼ି ହତାଶ ହୋଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା କାର୍ୟ୍ୟାଳୟର ୨ ଜଣ କର୍ମଚାରୀ ଏନଓସି ପ୍ରଦାନ କରିବା ଦୂରର କଥା ଭିନ୍ନକ୍ଷମ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଣୁ ଏଭଳି ଅବହେଳା ଓ ଦୁର୍ବ୍ୟବହାରର ପ୍ରତିବାଦରେ ଆଜି ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ମହାସଂଘ ତରଫରୁ ଶତାଧିକ କର୍ମକର୍ତ୍ତା ଓ ସଦସ୍ୟ ଶାନ୍ତିପୂର୍ଣ ଭାବେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସକାଳ ୧୦ଘଣ୍ଟା ଠାରୁ ଧାରଣା ଦେଇ ବସିଥିଲେ। ଦୀର୍ଘ ସମୟ ଧରି ପ୍ରଚଣ୍ଡ ତାତିରେ କୁନିକୁନି ଛୁଆଙ୍କୁ ଧରି ବସିଥିବା ବେଳେ ସେମାନଙ୍କୁ ବୁଝାସୁଝା କରିବାକୁ କେହି ବି ଜଣେ ବିଭାଗୀୟ ଅଧିକାରୀ ଧାରଣା ସ୍ଥଳକୁ ଆସିନଥିଲେ।

ବହୁ ବିଳମ୍ବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ପହଂଚି ବୁଝା ସୁଝା କରିବା ପରେବି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଦୁଇ କର୍ମଚାରୀ କ୍ଷମା ପ୍ରାର୍ଥନା କରିବାକୁ ଅଡ଼ି ବସିଥିଲେ। ଶେଷର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସେଠାରୁ ଚାଲିଯାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କିଛି ଗଣମାଧ୍ୟମ ପ୍ରତିନିଧି ଏବଂ ଧାରଣା ସ୍ଥଳରେ ଦାୟିତ୍ୱରେ ରହିଥିବା ପୋଲିସ କର୍ମଚାରୀଙ୍କ ବହୁ ଅନୁରୋଧ ପରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ,ଦୁର୍ବ୍ୟବହାର ପଦର୍ଶନ କରିଥିବା ଜଣେ କର୍ମଚାରୀ ପହଂଚି କର୍ମଚାରୀ ଜଣକ କ୍ଷମା ମାଗିଥିଲେ।

ତଥାପି ଅନ୍ୟ ଜଣେ କର୍ମଚାରୀ ଆସି କ୍ଷମା ମାଗିବାକୁ ଅଡ଼ି ବସିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ତୁରନ୍ତ ଏନ ଓ ସି ପ୍ରଦାନ କରାଯିବ ଏବଂ ଆଗାମୀ ଦିନରେ ଅବହେଳା ଓ ଦୁର୍ବ୍ୟବହାର ବନ୍ଦ ନେଇ ପ୍ରତିଶୃତି ଦେବାପରେ ଧାରଣାରୁ ଓହରିଥିଲେ। ଏହି ଧାରଣା ସମୟରେ ଜିଲ୍ଲା ଭିନ୍ନକ୍ଷମ ମହାସଂଘର ସଭାପତି ରାକେଶ ହିମିରିକା, ସମ୍ପାଦକ ଜଳନ୍ଧର ବାଚେଲି, ସଂଗଠକ ସନ୍ତୋଷ କୁମାର ମହାପାତ୍ରଙ୍କ ସହ ଶତାଧିକ ଦିବ୍ୟାଙ୍ଗ ଯୁବକ ଓ ଯୁବତୀ ଯୋଗ ଦେଇଥିଲେ।