ନୂଆ ରୂପ ପାଇବ ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଖର୍ଚ୍ଚ ହେବ ୧୫.୫୮ କୋଟି

ଭୁବନେଶ୍ୱର: ବାଲେଶ୍ୱର ପ୍ରସିଦ୍ଧ ଶୌବପୀଠ ପଞ୍ଚଲିଙ୍ଗେସ୍ୱର ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ୟ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ହେବ ରୂପାନ୍ତର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।ସୂଚନାଯୋଗ୍ୟ ଯେ ଗତ ଜୁନ୍ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବାଲେଶ୍ବର ଗସ୍ତ କରି ପଞ୍ଚଲିଙ୍ଗେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ ।ମନ୍ଦିରର ରୂପାନ୍ତର ପାଇଁ ହୋଇଥିବା ମାଷ୍ଟରପ୍ଲାନ ଅନୁଯାୟୀ ସଂପୂର୍ଣ୍ଣ ପ୍ରକଳ୍ପକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇ ବିକଶିତ କରାଯିବ। ଏହି ୪ଟି ଜୋନ୍ ହେଲା – ବଡମ୍ବା ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳ, ସପିଂ କମ୍ପ୍ଲେକ୍ସ ଓ ପାର୍କ ଏବଂ ପାନ୍ଥଶାଳା ଅଞ୍ଚଳ।

ଜୋନ୍-୧ ବଡମ୍ବା ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ଅଧିକ ସୁବିଧା କରାଯାଇ ପଥର ପାହାଚ, ବେଞ୍ଚ, ୱାଚ ଟାୱାର, ବସିବା ସ୍ଥାନ, ଗ୍ରନାଇଟର ଚଲାପଥ ଆଦି ବିକଶିତ କରାଯିବ।

ଜୋନ୍-୨ରେ ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳର ବିକାଶ ହେବ। ପୁରା ମନ୍ଦିରର ଭବଗ୍ଦର ବକ୍ସରବର ପୁନର୍ବିକାଶ ସହିତ ଗୁମ୍ଫା ଓ ଯଜ୍ଞ ମଣ୍ଡପକୁ ପ୍ରବେଶ ପଥ ନିର୍ମାଣ କରାଯିବ। ପୂଜାର୍ଚ୍ଚନା ସ୍ଥାନର ପରିବର୍ଦ୍ଧନ କରାଯାଇ ସୌନ୍ଦର୍ୟ୍ୟକରଣ କରାଯିବ। ଏହାଛଡା ଅତିରିକ୍ତ ଶୌଚାଳୟ ଓ ପୋଷାକ ବଦଳାଇବା ଗୃହ ମଧ୍ୟ ନିର୍ମାଣ କରାଯିବ।

ଜୋନ୍-୩ ରେ ସପିଂ କମ୍ପ୍ଲେକ୍ସ ନିର୍ମାଣ କରାଯିବ ଏବଂ ଭକ୍ତ ଓ ପର୍ୟ୍ୟଟକ ମାନଙ୍କ ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ।

ଜୋନ୍-୪ ପାନ୍ଥଶାଳା ଅଞ୍ଚଳରେ ଗାଡିମଟର ପାର୍କିଂ ତଥା ପିକ୍ନିକ୍ ପାଇଁ ପିଣ୍ଡିର ବ୍ୟବସ୍ଥା ମଧ୍ୟ କରାଯିବ । ଏଠାରେ ଫୁଡକୋର୍ଟ, ଜଳକ୍ରୀଡା ଓ ପିଲାମାନଙ୍କ ଖେଳ ପାଇଁ ସୁବିଧା କରାଯିବ।