ଡିଜିଟାଲ ଆରେଷ୍ଟର ଶିକାର ହେଲେ ରାଜଧାନୀର ମହିଳା

ଡିଜିଟାଲ ଆରେଷ୍ଟର ଶିକାର ହେଲେ ରାଜଧାନୀର ମହିଳା । ଭୟ ଦେଖାଇ ସାଇବର ଠକ ଲୁଟିନେଲା ୩୦ ଲକ୍ଷ । ମଙ୍ଗଳବାର ଉତ୍ତରପ୍ରଦେଶରୁ ସାଇବର ଠକ ଗୁଲିପାଗି ଚିରଞ୍ଜୀବକୁ ଗିରଫ କରିଛି ଭୁବନେଶ୍ବର ସାଇବର ପୋଲିସ । ତା’ ନିକଟରୁ ଦୁଇଟି ମୋବାଇଲ, ଏଟିଏମ କାର୍ଡ, ଗୋଟିଏ ଚେକ ବୁକ, ଗୋଟିଏ ପାନ କାର୍ଡ ସହିତ ଗୋଟିଏ ଆଧାର କାର୍ଡ ଜବତ କରିଛି ସାଇବର ଥାନା ପୋଲିସ ।

CYBER ARRESTED DIGITAL

ସାଇବର ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୨୦୨୫ ମସିହା ନଭେମ୍ବର ୬ରେ ଲିଙ୍ଗରାଜ ଗୌରୀ ନଗର ଅଞ୍ଚଳର ଜଣେ ମହିଳାଙ୍କ ପାଖକୁ ଅଜଣା ନମ୍ବରରୁ ଏକ କଲ ଆସିଥିଲା । ନିଜକୁ TRAI (Telecom Regulatory Authority of India)ର ଅଧିକାରୀ ପରିଚୟ ଦେଇ କଥା ହୋଇଥିଲା ଠକ ଚିରଞ୍ଜୀବ । ଉକ୍ତ ମହିଳାଙ୍କ ସିମ କାର୍ଡ ବିଭିନ୍ନ ଅପରାଧରେ ବ୍ୟବହୃତ ହୋଇଥିବା କହିଥିଲା ସାଇବର ଠକ । ଏହାପରେ ମୁମ୍ବାଇ କୋଲାବ ଥାନାକୁ କଲ ଟ୍ରାନ୍ସଫର ହେବ କହି ଆଉ ଏକ ଅଜଣା ନମ୍ବରରୁ ମହିଳାଙ୍କ ପାଖକୁ ଭିଡ଼ିଓ କଲ ଆସିଥିଲା । ଏହା ପରେ ସାଇବର ଠକ ଭିଡ଼ିଓ କଲରେ ଆରେଷ୍ଟ ୱାରେଣ୍ଟ ଭଳି ବିଭିନ୍ନ କାଗଜ ପତ୍ର ଦେଖାଇଥିଲା । ଆଉ ମଧ୍ୟ ଏହି ମାମଲା EDକୁ ଟ୍ରାନ୍ସଫର ହେବ କହି ଠକ ମହିଳାଙ୍କୁ ଡରାଇ ଧମକ ଦେଇଥିଲା । ଏହା ସହ ଘରୁ ବାହାରକୁ ନଯିବା ସହ କାହାକୁ ଫୋନ ନକରିବା ପାଇଁ ମଧ୍ୟ କହିଥିଲା ସାଇବର ଠକ । ଟଙ୍କା ଟ୍ରାନ୍ସଫର ପାଇଁ ଠକ ମହିଳାଙ୍କୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲା । ଟଙ୍କା ଟ୍ରାନ୍ସଫର ନକଲେ ଆରେଷ୍ଟ କରିବାକୁ ଭୟଭୀତ ମଧ୍ୟ କରାଇଥିଲା । ଏହାପରେ ମହିଳା ଜଣକ ଡରିଯାଇ ଲୁଇସ ରୋଡ଼ରେ ଥିବା ବ୍ୟାଙ୍କକୁ ଯାଇ ଠକ ଦେଇଥିବା ୩ଟି ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ପରେ ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ସାଇବର ପୋଲିସ ।