ଭୁବନେଶ୍ୱର ( ସରୋଜ କୁମାର ରାଉତ) :- ଜମୁଛି ପୈାରନିର୍ବାଚନ ପ୍ରଚାରର ତାତି । ବଢୁଛି ନିର୍ବାଚନୀ ହିଂସା । ଦଳ ଦଳ ଭିତରେ ଚାଲିଛି ମାରପିଟ । ସେହିଭଳି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଲକ୍ଷ୍ମୀସାଗର ଥାନା ଅଧିନରେ ଥିବା ୩୩ ଓ ୪୫ ନମ୍ବର ୱାର୍ଡରେ ହିଂସାକାଣ୍ଡ ଘଟିଛି । ଦୁଇ ବିରୋଧ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଓ ହଣାକଟା ଭଳି ଘଟଣା ଘଟିଛି । ଏଥିରେ ୬ଜଣ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତେଜନା ଲାଗି ରହିଛି । ସୂଚନା ଅନୁସାରେ, ପୋଷ୍ଟର ଚିରାକୁ କେନ୍ଦ୍ର କରି ୩୩ ନଂ ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀ ଧରିତ୍ରୀ ଜେନାଙ୍କ ସ୍ୱାମୀ ଉମାକାନ୍ତ ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବିଜେପି ଅଭିଯୋଗ କରିଛି । ଏନେଇ ବିଜେପି ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ସଂଘବଦ୍ଧ ଆକ୍ରମଣରେ ଆହତମାନେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ସେହିପରି ଗତକାଲି ବିଳମ୍ବିତ ରାତିରେ ୪୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଅମରେଶ ଜେନାଙ୍କ ସମର୍ଥକଙ୍କୁ ବିପକ୍ଷ ଗୋଷ୍ଠୀ ବୀଭତ୍ସ ଭାବେ ଆକ୍ରମଣ କରିଛନ୍ତି।ଆକ୍ରମଣରେ ଚିନ୍ତାମଣିଶ୍ୱର ହୁଡାସାହିର ଜିତେନ୍ଦ୍ର ଜେନା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତି କରାଯାଇଛି । ଗତକାଲି ରାତିରେ ସେ ପ୍ରଚାର କାମ ସାରି ଘରକୁ ଫେରୁଥିବା ବେଳେ ବିରୋଧୀ ଗୋଷ୍ଠୀ ତାଙ୍କ ମୁହଁକୁ ଲଙ୍କା ଗୁଣ୍ଡ ପକାଇଥିଲେ । ସେ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଭୁଜାଲିରେ ଆକ୍ରମଣ କରିଥିଲେ । ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ପ୍ରାର୍ଥୀଙ୍କର ଶହ ଶହ ସମର୍ଥକ ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ । ଏହାକୁ ନେଇ ସେଠାରେ ଚାପା ଉତେଜନା ଲାଗି ରହିଛି । ଯଦି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଯାଏ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ଲକ୍ଷ୍ମୀସାଗରରେ ଘଟୁଥିବା ଏଭଳି ନିର୍ବାଚନୀ ହିଂସାକୁ ରୋକିବାରେ ପୋଲିସ ଏକ ପ୍ରକାର ବିଫଳ ହୋଇଥିବା ଦେଖିବାକୁ ମିଳୁଛି ।