୫୪ ବର୍ଷ ବୟସରେ ବଲିଉଡ୍ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ । ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହ ଫିଲ୍ମରେ ନଜର ଆସିଥିବା ଅଭିନେତା ମୁକୁଲ ଦେବ ଦୁନିଆକୁ ଅଲବିଦା କହିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ରାତିରେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରି ସମସ୍ତଙ୍କୁ ବିଦାୟ ଦେଇଛନ୍ତି । ମୁକୁଲ ଦେବଙ୍କ ମୃତ୍ୟୁ ଖବର ବିଷୟରେ ସୂଚନା ଦେଇଛନ୍ତି ଅଭିନେତା ବିନ୍ଦୁ ଦାରା ସିଂହ । ଅଭିନେତାଙ୍କ ମୃତ୍ୟୁରେ ପୁରା ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ , ମୁକୁଲ ୧୯୯୬ ମସିହାରେ ‘ଦସ୍ତକ’ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ। ଯେଉଁଥିରେ ସେ ନକାରାତ୍ମକ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ଅଭିନୟ ପାଇଁ ସମାଲୋଚକମାନଙ୍କ ଦ୍ୱାରା ପ୍ରଶଂସା ପାଇଥିଲେ। ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସୁସ୍ମିତା ସେନ , ମୁକୁଲ ଦେବ, ମନୋଜ ବାଜପେୟୀ, ଟିକୁ ତାଲସାନିଆ, ବିଶ୍ୱଜିତ ପ୍ରଧାନ ଏବଂ ଶରଦ ଏସ କପୁର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହି ରୋମାଣ୍ଟିକ ଡ୍ରାମାଟି ବିକ୍ରମ ଭଟ୍ଟଙ୍କ ଦ୍ୱାରା ଲିଖିତ।