ସାଲେପୁର: ବିଜେଡି ପକ୍ଷରୁ ୮ ଘଣ୍ଟିଆ ସାଲେପୁର ବନ୍ଦ ପାଳନ । ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ । ସାଲେପୁର ସହରରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି । କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି । ଜରୁରୀକାଳିନ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିଛି । ତେବେ ୨୦୨୪ ଫେବୃଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ନୂଆ ୩୪ଟି ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦର ନାମ ଘୋଷଣା କରିଥିଲେ । ଏଥିରେ କଟକ ଜିଲ୍ଲାର ସାଲେପୁର ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ମାତ୍ର ବିଜେଡି ସରକାର କ୍ଷମତାରୁ ଯିବା ପରେ ଜଣାପଡିଲା, ସାଲେପୁର ଏନଏସିକୁ ମାନ୍ୟତା ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନି । କିଛିଦିନ ପୂର୍ବରୁ ଗତ ଜୁଲାଇ ୧୫ ତାରିଖରେ ସାଲେପୁର ବିଜେପି ନେତା ଅରିନ୍ଦମ ରୟ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭେଟି ସାଲେପୁରକୁ ଏନଏସି ମାନ୍ୟତା ପ୍ରଦାନ ବାବଦରେ ଆଲୋଚନା କରିଥିଲେ । କିନ୍ତୁ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ୨୧ଟି ନୂଆ ଏନଏସି ଗଠନ ନେଇ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୨ଟି ନୂଆ ଏନଏସି ପାଇଁ ଚିଠା ବିଜ୍ଞପ୍ତି ବି ପ୍ରକାଶ ପାଇଛି । କିନ୍ତୁ ଏ ତାଲିକାରେ ସାଲେପୁର ନଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।