ସୁଭଦ୍ରା ଟଙ୍କା ନେଇ ବଡ଼ ଅପଡେଟ୍ । ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା । ଆସନ୍ତା ଅଗଷ୍ଟ ୨୮ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ହିତାଧିକାରୀଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର ଟଙ୍କା ଆସିବା ନେଇ ବଡ଼ ଅପଡେଟ୍ ଆସିଛି। ରାକ୍ଷୀ ପୂର୍ଣ୍ଣିମା ଦିନ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

ଏନେଇ ନୟାଗଡ଼ରେ ଏକ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯିବ। ଏହି ଅବସରରେ ରାଜ୍ୟର ୧ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ଟଙ୍କା ମିଳିବ ବୋଲି ସୂଚନା ମିଳିଛି। ଯୋଜନାର ନିୟମ ଅନୁଯାୟୀ, ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ତେବେ ଏଥରର ସବୁଠାରୁ ବଡ଼ କଥା ହେଉଛି, ପ୍ରଥମଥର ପାଇଁ ଆବେଦନ କରିଥିବା ଏବଂ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀମାନେ ମଧ୍ୟ ଟଙ୍କା ପାଇବେ।

ସୂଚନା ଅନୁସାରେ, ଏଭଳି ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ପୂର୍ବ କିସ୍ତି ସହିତ ମୋଟ ୫ଟି କିସ୍ତିର ଟଙ୍କା ମିଳିବ ବୋଲି କୁହାଯାଇଛି। ଫଳରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ମଧ୍ୟରେ ‘ସୁଭଦ୍ରା’ ଟଙ୍କା ପାଇବା ନେଇ ଉତ୍ସାହ ବଢ଼ିଛି। ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ଚାଲିଥିବା ‘ସୁଭଦ୍ରା’ ଯୋଜନାର ଏହି ଟଙ୍କା ହିତାଧିକାରୀଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମାରେ ଏକ ବଡ଼ ଉପହାର ହେବ ବୋଲି ଆଶା କରାଯାଉଛି।