ମନୁ ଭାକର ଓ ଏଶା ସିଂହଙ୍କୁ ବଡ଼ ଝଟକା! ସ୍ୱର୍ଣ୍ଣ ଜିତି ବି ମିଳିଲାନି ଅଲିମ୍ପିକ୍‌ କୋଟା

ISSF ବିଶ୍ୱ ଚାମ୍ପିୟନସିପ୍‌ରେ ଭାରତ ପାଇଁ ଖୁସି ଓ ନିରାଶାର ମିଶ୍ରିତ ଖବର। ମହିଳା ୨୫ ମିଟର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ, ବ୍ୟକ୍ତିଗତ ଇଭେଣ୍ଟରେ ମନୁ ଭାକର ଓ ଇଶା ସିଂହ ଅଲିମ୍ପିକ୍‌ କୋଟା ହାସଲ କରିବାରେ ବିଫଳ ହୋଇଛନ୍ତି।

Indian shooter Esha singh clinches gold in women's 25 meter pistol event at ISSF World Cup; Manu Bhakar settles for Bronze | Akashvani News

ମଙ୍ଗଳବାର କତାରର ଦୋହାରେ ଆୟୋଜିତ ଏହି ପ୍ରତିଯୋଗିତାରେ ମନୁ ଭାକର, ଇଶା ସିଂହ ଓ ଦିବ୍ୟା ସୁବ୍ବାରାଜୁଙ୍କ ମିଳିତ ପ୍ରଦର୍ଶନରେ ଭାରତ ୧୭୬୧ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛି। ଦକ୍ଷିଣ କୋରିଆ ୧୭୪୮ ପଏଣ୍ଟ ସହ ରୌପ୍ୟ ଏବଂ ଭିଏତନାମ ୧୭୪୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛି।

Esha Singh wins Gold, Manu Bhaker bags Bronze in ISSF World Cup 25m pistol in Hangzhou

ଟିମ୍‌ ଇଭେଣ୍ଟରେ ଏଶା ସିଂହ ସର୍ବାଧିକ ୫୯୦ ପଏଣ୍ଟ ସ୍କୋର କରିଥିଲେ। ମନୁ ଭାକର ୫୮୭ ଏବଂ ଦିବ୍ୟା ସୁବ୍ବାରାଜୁ ୫୮୪ ପଏଣ୍ଟ ଯୋଗଦାନ କରିଥିଲେ। ଏହି ପ୍ରଦର୍ଶନ ବଳରେ ଭାରତ ଟିମ୍‌ ଇଭେଣ୍ଟରେ ଶୀର୍ଷ ସ୍ଥାନ ହାସଲ କରିଥିଲା।

ଅନ୍ୟପଟେ, ବ୍ୟକ୍ତିଗତ ୨୫ ମିଟର ପିସ୍ତଲ ଫାଇନାଲରେ ମନୁ ଭାକର ଚତୁର୍ଥ ସ୍ଥାନରେ ରହିଥିଲେ। ସେ ଫାଇନାଲରେ ପଦକ ଜିତିବାର ନିକଟତର ହୋଇଥିଲେ ମଧ୍ୟ ପୋଡିୟମ୍‌ରେ ସ୍ଥାନ ପାଇପାରିନଥିଲେ। ସେହିପରି ଏଶା ସିଂହ ଅଷ୍ଟମ ସ୍ଥାନରେ ରହିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଏଶା ୫୯୦ ପଏଣ୍ଟ ସହ ତୃତୀୟ ଏବଂ ମନୁ ୫୮୭ ପଏଣ୍ଟ ସହ ଷଷ୍ଠ ସ୍ଥାନ ହାସଲ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ। ତେବେ ଫାଇନାଲରେ ଉଭୟ ଖେଳାଳି ବ୍ୟକ୍ତିଗତ ପଦକ ଜିତିବାରେ ସଫଳ ହୋଇନଥିଲେ। ଏହି ଇଭେଣ୍ଟରେ ଲସ୍‌ ଏଞ୍ଜେଲସ୍‌ ୨୦୨୮ ଅଲିମ୍ପିକ୍ସ ପାଇଁ ତିନୋଟି କୋଟା ସ୍ଥାନ ଉପଲବ୍ଧ ଥିଲା। ବ୍ୟକ୍ତିଗତ ଇଭେଣ୍ଟର ପଦକ ବିଜେତାଙ୍କୁ ଏହି କୋଟା ମିଳିବାର ଥିବାରୁ ମନୁ ଓ ଏଶାଙ୍କୁ ନିରାଶ ହେବାକୁ ପଡ଼ିଛି। ଟିମ୍‌ ଇଭେଣ୍ଟର ସ୍ୱର୍ଣ୍ଣ ପଦକ ଅଲିମ୍ପିକ୍‌ କୋଟା ଦେଇନଥାଏ।

ତେବେ ଏହି ବିଶ୍ୱ ଚାମ୍ପିୟନସିପ୍‌ରେ ଭାରତର ଅଭିଯାନ ଜାରି ରହିଛି। ପୂର୍ବରୁ ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ଜୟପାଲ ମାଲଭିୟା ରୌପ୍ୟ ପଦକ ଜିତି ଭାରତ ପାଇଁ ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସର ପ୍ରଥମ କୋଟା ହାସଲ କରିଥିଲେ। ଏବେ ଆଗାମୀ ଇଭେଣ୍ଟଗୁଡ଼ିକରେ ଭାରତୀୟ ଶୁଟରଙ୍କ ପ୍ରଦର୍ଶନ ଉପରେ ନଜର ରହିଛି।