ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ପଞ୍ଜାବରେ AAP ର ବିଜୟ ପରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ ଆଜି ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଏହି ସମୟରେ, ମାନ୍ କେଜ୍ରିୱାଲଙ୍କ ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଇଥିଲେ | ୧୧୭ ସିଟ୍ ବିଶିଷ୍ଟ ପଞ୍ଜାବରେ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି।ପଞ୍ଜାବରେ ଆପ୍ ୯୨ ଟି ସିଟ ହାସଲ କରିବା ସହ କଂଗ୍ରେସ ୧୮, ଅକାଲୀ ଦଳ ୩ ଓ ବିଜେପି ୨ଟି ଆସନ ଅକ୍ତିଆର କରି ପାରିଛି |
- ଆଜି ପଞ୍ଜାବରେ ବିଧାୟକ ପାର୍ଟି ମିଟିଂ
ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭଗୱନ୍ତ ମାନଙ୍କୁ ନେଇ ନିର୍ବାଚନ ଲଢ଼ିଥିଲେ । ତେବେ ଦଳ ଏହି ନିର୍ବାଚନରେ ଏକ ଶାନଦାର ବିଜୟ ହାସଲ କରିଛି। ସୂଚନା ଅନୁଯାୟୀ ଆଜି ପଞ୍ଜାବରେ ବିଧାନସଭା ପାର୍ଟି ମିଟିଂ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଭଗୱନ୍ତ ମାନ ନେତା ରୂପେ ଚୟନ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ତେବେ ଏହା ପୂର୍ବରୁ ମାନ ଆଜି ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଡିଆଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ।
- ଆସନ୍ତାକାଲି ସରକାର ଗଠନ ପାଇଁ ଦାବି ରଖି ପାରନ୍ତି ମାନ୍
ସୂଚନା ଅନୁଯାୟୀ, ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ରଖି ପାରନ୍ତି ଭଗୱନ୍ତ ମାନ। ଦିଲ୍ଲୀ ଯିବା ପୂର୍ବରୁ ମାନ୍ କହିଛନ୍ତି ଯେ ସେ ଭଗତ ସିଂ ଜନ୍ମ ହୋଇଥିବା ଗ୍ରାମରେ ଶପଥ ଗ୍ରହଣ କରିବେ। ମାନ୍ କହିଛନ୍ତି ଯେ, ଖୁବ୍ ଶୀଘ୍ର ସେ ରାଜ୍ୟପାଳଙ୍କୁ ଭେଟି ନୂତନ ମୁଖ୍ୟମନ୍ତ୍ରୀ ନିମନ୍ତେ ନିଜର ଦାବି ପତ୍ର ପ୍ରଦାନ କରିବେ । ଏହା ପରେ ତାଙ୍କର ଶପଥ ଗ୍ରହଣ ସମାରୋହର ସମୟ ସ୍ଥିର ହେବ।
- ଇସ୍ତଫା ଦେଲେ ଚନ୍ନି
ଅନ୍ୟପକ୍ଷରେ, ବର୍ତ୍ତମାନର ପଞ୍ଜାବର ସିଏମ ଚରଣଜିତ ସିଂ ଚନ୍ନି ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ରାଜ୍ୟପାଳଙ୍କୁ ମୋର ଇସ୍ତଫା ପ୍ରଦାନ କରିଛି । ନୂତନ ସରକାର ଶପଥ ଗ୍ରହଣ ନ କରିବା ପର୍ଯ୍ୟନ୍ତ ସେ ମୋତେ ଏବଂ କ୍ୟାବିନେଟକୁ ଜାରି ରଖିବାକୁ କହିଛନ୍ତି। ମୁଁ ଲୋକମାନଙ୍କର ଜନାଦେଶକୁ ଗ୍ରହଣ କରୁଛି | ମୁଁ ପଞ୍ଜାବବାସୀଙ୍କ ସ୍ୱାର୍ଥରେ କାର୍ଯ୍ୟ ଜାରି ରଖିବି। ଆମେ ନୂତନ ସରକାରଙ୍କ ସହ ସହଯୋଗ କରିବୁ।