ଟ୍ରେନ୍ରେ ଆସିଲା ପ୍ରସବ ବେଦନା, ପ୍ଲାଟଫର୍ମରେ ଜନ୍ମ ନେଲା ଶିଶୁକନ୍ୟା। ସାହାଯ୍ୟର ହାତ ବଢାଇଲେ ଆରପିଏଫ। ଭୁବନେଶ୍ୱର ରେଳ ଷ୍ଟେସନରେ ଅଭାବନୀୟ ଘଟଣା। ବାଙ୍ଗିରିପୋଷି–ପୁରୀ ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ହଠାତ୍ ଆସିଲା ପ୍ରସବ ବେଦନା। ଟ୍ରେନ୍ଟି ଭୁବନେଶ୍ୱର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପହଞ୍ଚିବା ପରେ ମହିଳାଙ୍କ ଅବସ୍ଥା ଦେଖି ସହାୟତାର ହାତ ବଢ଼ାଇଲେ RPF ଅଧିକାରୀ ଓ ‘ମେରି ସହେଲୀ’ଟିମ୍। ତୁରନ୍ତ ପ୍ଲାଟଫର୍ମରେ ମହିଳାଙ୍କ ଚାରିପଟେ କପଡ଼ା ଦେଇ ଆବରଣ କରାଯାଇ ଗୋପନୀୟତା ରକ୍ଷା କରାଗଲା। RPF ମହିଳା ଅଧିକାରୀ ଓ କର୍ମଚାରୀଙ୍କ ସହାୟତାରେ ପ୍ଲାଟଫର୍ମ ଉପରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା। ପରେ RPF ପକ୍ଷରୁ ଗାଡ଼ି ବ୍ୟବସ୍ଥା କରାଯାଇ ମା’ ଓ ନବଜାତ ଶିଶୁଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମା ଓ ନବଜାତ ଶିଶୁ ଉଭୟ ସୁସ୍ଥ ଓ ସ୍ଥିର ଅଛନ୍ତି। ସମୟୋଚିତ ସହାୟତା ପାଇଁ RPF ଓ ‘ମେରି ସହେଲୀ’ ଟିମ୍କୁ ପ୍ରଶଂସା କରାଯାଉଛି।