ଭୁବନେଶ୍ୱର:ବାବୁସାନଙ୍କ ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ଦମନରର ରିଲିଜ ଡେଟକୁ ଏକ ନିଆରା ଢଙ୍ଗରେ ଘୋଷଣା କରାଯାଇଛି। ଦୁର୍ଗା ପୁଜାରେ ପରଦାକୁ ଆସିବ ଚଳଚ୍ଚିତ୍ର ଦମନ। ହାତରେ ବାହୁଙ୍ଗୀ ଧରି ପାଣିଭାର ନେଇ ଓଲିଉଡ଼ ସୁପରଷ୍ଟାର ବାବୁସାନ,ପିଣ୍ଟୁ ନନ୍ଦ ,ବବି ମିଶ୍ରଙ୍କ ସହ ଫିଲ୍ମର ପୁରା ଟିମ ଲିଙ୍ଗରାଜଙ୍କ ଠାରେ ପାଣି ଢାଳି ଆଶ୍ରିବାଦ କାମନା କରି ସିନେମାର ଡେଟ ଘୋଷଣା କରିଛନ୍ତି।ସମସ୍ତେ ବିନ୍ଦୁସାଗରରୁ ଜଳ ଉଠାଇ ପ୍ରଭୁ ଲିଙ୍ଗରାଜଙ୍କ ମଥାରେ ଜଳାଭିଷେକ କରିଛନ୍ତି। ଏଥିରେ ମୁଖ୍ୟଭୁମିକାରେ ରହିଛନ୍ତି ବାବୁଶାନ। ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି।

ଜେପି ମୋସନ ପିକ୍ଚର ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳ ବିଶେଷ କରି ମାଲକାନଗିରିରେ ଲୋକଙ୍କୁ ମ୍ୟାଲେରିଆ ଓ ବସନ୍ତ ହେଲେ ସେମାନେ ଅନ୍ଧବିଶ୍ବାସରେ ବୁଡ଼ି ରହୁଥିଲେ । ଏହାସହିତ ରୋଗକୁ ମଧ୍ୟ ଚିହ୍ନି ପାରୁନଥିଲେ । ଫିଲ୍ମରେ ସେ ସମ୍ପର୍କରେ ବର୍ଣ୍ଣନା କରାଯାଉଛି । ଏହିଭଳି ସ୍ଥାନରେ କିପରି ଜଣେ ଡାକ୍ତର ରୋଗ ଆଉ ରୋଗୀକୁ ଅନ୍ଧ ବିଶ୍ଵାସର ଅନ୍ଧାର ଗଳିକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି ତାହା ଚିତ୍ରିତ ହୋଇଛି । ତାସହ ଏଭଳି ଅଞ୍ଚଳ ବାହ୍ୟ ଦୁନିଆରୁ ଅଲଗା ନ ହୋଇ ସବୁ ପ୍ରକାର ସେବା କିଭଳି ପାଇବ ଏଥିପାଇଁ ଜଣେ ବାଳକ ସଂଘର୍ଷ କରୁଥିବା ଫିଲ୍ମରେ ଦେଖିବାକୁ ମିଳିଛି ।ସେ ନିଜ କର୍ତ୍ତବ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ସହ ଲୋକମାନଙ୍କ ପାଇଁ ସବୁ ପରିସ୍ଥିତିରେ ସଂଘର୍ଷ କରିଛି ସେ ବିଷୟରେ ଦେଖିବାକୁ ମିଳିଛି ।

ଏହାର ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି । ଏହି ଚଳଚ୍ଚିତ୍ର ଓଡି଼ଆ ଚଳଚ୍ଚିତ୍ର ଜଗତରେ ନୂଆ ଏକ ପରିଚୟ ସୃଷ୍ଟି କରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଏହି ଚଳଚ୍ଚିତ୍ରର ପ୍ରଯୋଜନାରେ ଦୀପେନ୍ଦ୍ର ସାମଲ ଥିବାବେଳେ ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ଯୁବ ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ପ୍ରଥମ ଥର ପାଇଁ ବାୟୋପିକ ମୁଭିରେ ବାବୁସାନ ଅଭିନୟ କରୁଥିବା କହିଥିବା ବେଳେ ଶିବଙ୍କୁ ମୁଁ ଛୋଟ ବେଳୁ ଭଲ ପାଏ ତେଣୁ ମୋର ଏହି ସିନେମା ଟି ସମସ୍ତଙ୍କ ହୃଦୟକୁ ଛୁଇଁ ଓ ଓଡ଼ିଆ ଦର୍ଶକଙ୍କ ଭିତରେ ଆଦୃତ ଲାଭ କରୁ ବୋଲି ଲିଙ୍ଗରାଜଙ୍କ ପାଖରେ ନିବେଦନ କଲି ବୋଲି କହିଛନ୍ତି ।