ଦୁର୍ନୀତିମୂଳକ ଖବର ପ୍ରସାରଣ ପାଇଁ ସାମ୍ବାଦିକଙ୍କୁ ଆକ୍ରମଣ

0

ଯାଜପୁର: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଯାଜପୁର ଦଶରଥପୁରରେ ସାମ୍ବାଦିକ ଚନ୍ଦ୍ରଶେଖର ସାହୁଙ୍କ ସମେତ ଅନ୍ୟ ଜଣେ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ଚନ୍ଦ୍ରଶେଖରଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଶାସକ ଦଳର କିଛି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଏକ ମାମଲାର ତଥ୍ୟ ପାଇଁ ଗତକାଲି ରାତିରେ ଥାନାକୁ ଆସି ଫେରୁଥିବା ବେଳେ ଦୁଇ ସମ୍ବାଦିକଙ୍କୁ ୩୦ରୁ ୪୦ ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ । ଏନେଇ ପରିବାର ଲୋକେ ମଙ୍ଗଳପୁର ଥାନାରେ ଅଭିଯୋଗ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ରାତିରେ ପାଲଟପୁର ପଞ୍ଚାୟତର ଏକ ଗଣ୍ଡଗୋଳ ଘଟଣାକୁ ନେଇ ମଙ୍ଗଳପୁର ଥାନାକୁ ଯାଇ ବାଇକରେ ଫେରୁଥିବା ବେଳେ ଉଭୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା । ଥାନା ଠାରୁ ପ୍ରାୟ ଶହେ ମିଟର ଦୂରରେ ୩୦ରୁ ୪୦ଜଣ ଯୁବକ ପୂର୍ବରୁ ଠେଙ୍ଗାବାଡ଼ି ଓ ଲୁହାରଡ଼ ଧରି ପ୍ରସ୍ତୁତ ରହିଥିଲେ । ଏମାନଙ୍କ ବାଇକ୍ ପହଞ୍ଚିବା କ୍ଷଣି ଚନ୍ଦ୍ରଙ୍କ ଉପରେ ପ୍ରଥମେ ଅତର୍କିତ ଆକ୍ରମଣ କରିଥିଲେ । ଚନ୍ଦ୍ରକୁ ସୁରକ୍ଷା ଦେବାକୁ ଯାଇ ଜ୍ୟୋତି ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଯିବାରୁ ଆକ୍ରମଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ଚନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଜ୍ୟୋତିଙ୍କ ହାତରେ ମାଡ଼ ହୋଇଛି ।