ବିଧାନସଭାରେ ତେଲ ତାତି, ଆସନ୍ତକାଲି ଯାଏ ଗୃହ ମୁଲତବୀ

( ଗୋବିନ୍ଦ ଚନ୍ଦ୍ର ପଣ୍ଡା): ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଛି। ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ବିଧାନସଭାରେ ମଧ୍ୟ ପଡ଼ିଥିଲା। ଆଜି ଗୃହକାର୍ୟ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ। କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିରୋଧରେ ନାରା ବାଜ ଦେଇଥିଲେ ।

ସେପଟେ ବିଜେପି ମଧ୍ୟ ଚାରା ଦୁର୍ନିତୀ , ଓମଫେଡ ସ୍କାମ , ସମବାୟ ଦୁର୍ନିତୀ ତଦନ୍ତ ଦାବି କରି ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ଆସନ୍ତକାଲି ପର୍ଯ୍ୟନ୍ତ ବାଚସ୍ପତି ମୁଲତବି କରିଥିଲେ । ତୈଳ ସମ୍ପର୍କକୁ ନେଇ ବିଜେଡି ମୁଖ୍ୟପାତ୍ର ସମୀର ମହାନ୍ତି କହିଛନ୍ତି ତୈଳ ସମ୍ପର୍କରେ ପୂର୍ବରୁ ବିଜେଡି ପ୍ରତିବାଦ କରିଛି ଆଗକୁ ମଧ୍ୟ ଜାରି ରଖିବ । ସବୁ ରାଜ୍ୟ ତୁଳନାରେ ଓଡିଶାରେ ତୈଳ ଦର କମ୍ ରହିଛି । ଯେଉଁଭଳି ଭାବେ ଆଜି ଗୃହ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ବିରୋଧୀମାନେ ବନ୍ଦ କଲେ ତାହା ନିନ୍ଦନୀୟ । ତୈଳ ଦରକୁ ନେଇ ବିଜେଡି ଲୋକମାନଙ୍କ ଆକ୍ରୋଶକୁ ସମର୍ଥନ କରୁଛି ଆନ୍ଦୋଳନକୁ ନୁହେଁ ।

ସେହିପରି କଂଗ୍ରେସ ନେତା ତାରା ପ୍ରସାଦବାହାନୀପତି କହିଛନ୍ତି ଆଜି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି । ମୁଖ୍ୟମନ୍ତ୍ରୀ ଆସିବା ୩ ମିନିଟ୍ ବିଳମ୍ବ କାରଣରୁ ବାଚସ୍ପତି ଚୁପ ହୋଇ ବସି ରହିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ କରିନଥିଲେ । କଂଗ୍ରେସର ଆଜି ଭାରତ ବନ୍ଦ ଡାକରା ସଫଳ ହୋଇଛି । ଆଜି ବନ୍ଦ ଡାକରାକୁ ଲୋକ ସମର୍ଥନ କରିଛନ୍ତି ।

ସେପଟେ ବିଜେପି ନେତା ପ୍ରଦୀପ ପୁରୋହିତ ଏହାର କଡା ଜବାବ ରଖି କହିଛନ୍ତି ଓଡିଶାରେ ବହୁତ ବଡ ବଡ ଘୋଟାଲ ହୋଇଛି । ରାଜ୍ୟସରକାର ଗରିବଙ୍କ ଅର୍ଥକୁ ଲୁଟ କରିଛନ୍ତି । ଚାରା , ଓମଫେଡ ଓ ସମବାୟ ବିଭାଗରେ ହୋଇଥିବା ଦୁର୍ନିତ ଆମେ ଗୃହରେ ଉଠାଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲୁ । ଆଜି ପୁରାଦିନ ବାଚସ୍ପତି ଗୃହ ବନ୍ଦ କରିବା ଦୁଃଖଦାୟକ ବୋଲି କହିଛନ୍ତି ଶ୍ରୀ ପୁରୋହିତ । ତୈଳ ଦର ପ୍ରସଙ୍ଗରେ ସେ କହିଛନ୍ତି ଗତକାଲି ରାଜସ୍ଥାନ ସରକାର ୪ ପ୍ରତିଶତ ଭାଟ ହ୍ରାସ କରିଛନ୍ତି । ଯଦି ରାଜ୍ୟ ବାସୀଙ୍କ ପାଇଁ ନବୀନ ସରକାରଙ୍କ ଦରଦ ଅଛି ତେବେ ତୁରନ୍ତ ଭାଟ କମାନ୍ତୁ । ଆଜି କଂଗ୍ରେସ ବନ୍ଦ ଡାକରାକୁ ବିଜେଡିର ଭିତିରିଆ ସମର୍ଥନ ରହିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।