ବିଧାନପରିଷଦ ପାଇଁ ଫିଟିଲା ବାଟ

(ଭୁବନେଶ୍ୱର) : ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ବିଧାନପରିଷଦ ଗଠନ ନେଇ ଆସନ୍ତା ବିଧାନସଭାର ମୌସୁମୀ ଅଧିବେଶନରେ ଏକ ପ୍ରସ୍ତାବ ଆଣିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବିଧାନ ପରିଷଦ ଗଠନ ପାଇଁ ରଜ୍ୟ ସରକାର ୨୦୧୫ ଜାନୁଆରି ୭ରେ ପରିବହନ ମନ୍ତ୍ରୀ ଡ. ନୃସିଂହ ସାହୁଙ୍କ ନେତୃତ୍ୱରେ ପ୍ରମିଳା ମଲ୍ଲିକ , ମନୋହର ରନ୍ଧାରୀ , ଭୁଜବଳ ମାଝି ଏବଂ ନିତେସ ଗଙ୍ଗଦେବଙ୍କୁ ନେଇ ଏକ ୫ ଜଣିଆ କମିଟି ଗଠନ କରିଥିଲେ। ସେହି କମିଟି କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର ଓ ତେଲେଙ୍ଗାନା ଗସ୍ତ କରି ସେହି ସବୁ ରାଜ୍ୟର ବିଧାନପରିଷଦ ଗଠନର ପ୍ରକ୍ରିୟା ଓ କାର୍ୟ୍ୟର ସମୀକ୍ଷା କରି ତଥ୍ୟ ସଂଗ୍ରହ କରିଥିଲେ। ତଥ୍ୟ ସଂଗ୍ରହ ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ରିପୋର୍ଟ ଆଧାରରେ ୪୯ ଜଣଙ୍କୁ ବିଧାନ ପରିଷଦର ସଦସ୍ୟ ଭାବେ ନିଯୁକ୍ତି ଦିଆଯିବ ବୋଲି ସ୍ଥିର କରାଯାଇଛି । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସେପଟେ ବିଧାନପରିଷଦ ଗଠନକୁ ନେଇ ବରିଷ୍ଠ କଂଗ୍ରେସ ନେତା ନବ ଦାସ କହିଛନ୍ତି ସରକାରଙ୍କର ବିଧାନପରିଷଦ ଗଠନକୁ ମୁଁ ସ୍ୱାଗତ କରୁଛି । ଗଣତନ୍ତ୍ରରେ ବିଧାନପରିଷଦର ଆବଶ୍ୟକତା ରହିଛି କିନ୍ତୁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ମନୋନୀତ କରିବା ଦରକାର ।