ଗିରଫ ହେଲେ ଅନୁଗୁଳ ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀ

ଅନୁଗୁଳ:  ଗିରଫ ହେଲେ ଅନୁଗୁଳ ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ AEEଙ୍କର ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।  ଗତକାଲି ରାମଚନ୍ଦ୍ର ଶତପଥୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ୍ କରିଥିଲା ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଇଥିଲା। ଆଜି ତାଙ୍କୁ ଗିରଫ କରାଯାଇଛି।ଗୋଟିଏ ଉବଲ ଷ୍ଟୋରେ ବିଲଡ଼ିଙ୍ଗ ସହ ୨୨ଟି ପ୍ଲଟ, ୩୫୦ ଗ୍ରାମର ସୁନା ଅଳଙ୍କାର, ୧.୧୬ କୋଟିର ବ୍ୟାଙ୍କ ଡିପୋଜିଟ ପାଇଥିଲା ଭିଜିଲାନ୍ସ । ୨୩ ଲକ୍ଷରୁ ଅଧିକ ନଗଦ ଟଙ୍କା ତାଙ୍କ ଜ୍ବାଇଁଙ୍କ ଘରୁ ମିଳିଥିଲା।

ଢେଙ୍କାନାଳ ସହର ଗାୟତ୍ରୀ ନଗର ସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ କଟକରେ ଚଢ଼ଉ କରିଥିଲା ଭିଜିଲାନ୍ସ । ତା ସହିତ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ରେଡ୍ ହୋଇଥିଲା। ଠାବ ହୋଇଥିବା ସଂପତ୍ତି ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ରାମଚନ୍ଦ୍ର ।

ରାମଚନ୍ଦ୍ର ଶତପଥୀ ୧୯୮୯ରୁ କନିଷ୍ଠ ଯନ୍ତ୍ରୀ  ଭାବେ ସରକାରୀ ଚାକିରିରେ ଯୋଗଦାନ କରିଥିଲେ ।  ୨୦୨୦ ପର୍ଯ୍ୟନ୍ତ ସେ ମାଲକାନଗିରି, କେନ୍ଦ୍ରାପଡ଼ା,  ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ  କାର୍ଯ୍ୟ କରିଛନ୍ତି । ୨୦୨୦ରେ ସେ ସହକାରୀ ଯନ୍ତ୍ରୀ  ଭାବେ ପଦୋନ୍ନତି ପାଇ କଣିହାଁ ବ୍ଲକ୍‌ରେ କାର୍ଯ୍ୟ  କରିଥିଲେ । ୨୦୨୨ରେ ସହକାରୀ ନିର୍ବାହୀ ଯନ୍ତ୍ରୀ  ଭାବେ ଆଠମଲ୍ଲିକ ବ୍ଲକ୍‌ରେ ଯୋଗ ଦେଇଥିଲେ ।