ଆସନ୍ତାକାଲି କୋରାପୁଟ୍ ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା

କୋରାପୁଟ: ଆସନ୍ତାକାଲି କୋରାପୁଟ୍ ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ । କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ସହ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର । ସେହିପରି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥିସହ ବର୍ଷା ବେଳେ ଘରୁ ନ ବାହାରିବାକୁ ଏବଂ ନିଜ ନିଜର ପକ୍କା ଘର ନଚେତ୍ ଆଶ୍ରୟସ୍ଥଳରେ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେବା ସହ ଜିଲ୍ଲାର ସବୁ ବ୍ଲକରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ବିଶେଷ ଭାବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୩ ଜିଲ୍ଲାକୁ ରେଡ୍ ଆଲର୍ଟ, ୧୪ ଜିଲ୍ଲାକୁ ଅରେଞ୍ଜ୍‌ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।