ଭୁବନେଶ୍ୱର: ଭାରତ ସରକାର ପ୍ରଚଳିତ କରିଥିବା କଏନ ଗୁଡ଼ିକ ଅଚଳ ନା ସଚଳ? ଏହାକୁ ନେଇ ଗୁଜବ ପ୍ରକାଶ ପାଇବା ପରେ ଆଜି ସ୍ପଷ୍ଟୀକରଣ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇ। କଏନ ସମ୍ପର୍କରେ କୌଣସି ବିଭ୍ରାନ୍ତିକର ସୂଚନା ବା ଗୁଜବକୁ ବିଶ୍ଵାସ କରନ୍ତୁ ନାହିଁ ବୋଲି ଆର୍ବିଆଇ ପକ୍ଷରୁ କୁହାଯାଇଛି। ଆର୍ବିଆଇ ସ୍ପଷ୍ଟ କରିଛି, ୫୦ ପଇସାରୁ ଊର୍ଦ୍ଧ୍ୱ ସମସ୍ତ କଏନ ଲିଗାଲ ଟେଣ୍ଡର ବା ଆଇନଗତ ବୈଧ। ଭାରତ ସରକାର ସମୟ ସମୟରେ ବିଭିନ୍ନ ଆକାର, ଥିମ୍ ଓ ଡିଜାଇନର ୫୦ ପଇସା, ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଓ ୨୦ ଟଙ୍କା ମୂଲ୍ୟର କଏନ ପ୍ରଚଳନ କରିଛନ୍ତି। ଏ ସମସ୍ତ କଏନ ଆଇନଗତ ବୈଧ। ଆରବିଆଇ କେବଳ କଏନର ବିତରଣ କରିଥାଏ। କଏନ ବୈଧତା ନେଇ ଆରବିଆଇ ପକ୍ଷରୁ ବାରମ୍ବାର ସଚେତନତା ମେଳା ଆୟୋଜନ କରାଯାଉଛି। କଏନେଜ୍ ଆକ୍ଟ ୨୦୧୧ ଅନୁସାରେ, ନେଣ ଦେଣ ସମୟରେ ଜଣେ ଏକକାଳୀନ ୧ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୧ ହଜାର ଟଙ୍କା ଯାଏଁ କଏନ ଦେଇପାରିବେ। ୫୦ ପଇସା କ୍ଷେତ୍ରରେ ଜଣେ ଏକକାଳୀନ ୧୦ ଟଙ୍କା ଯାଏଁ ପେମେଣ୍ଟ କରିପାରିବ। ସମସ୍ତ ବ୍ୟାଙ୍କକୁ ନେଣଦେଣ ବେଳେ କଏନ ଗ୍ରହଣ କରିବା ଓ ଏହାର ଶାଖାରେ ଏହାର ବିନିମୟ ଲାଗି ନିୟମ ଓ ସର୍ତ୍ତାବଳୀ ସହ ନିର୍ଦ୍ଦେଶ ଦିଆଯାଇଛି। ଏହାର ଉଲ୍ଲଂଘନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ବୋଲି ଜଈଓ ପକ୍ଷରୁ ସ୍ପଷ୍ଟ କରାଯାଇଛି।