Mumbai: ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର: ଦ ରିଭେଞ୍ଜ’ (ଧୁରନ୍ଧର 2)କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଚୂଡାନ୍ତ ସ୍ତରକୁ ପହଞ୍ଚିଛି। ଫିଲ୍ମଟି ଆସନ୍ତା ୧୮ ମାର୍ଚ୍ଚରେ ପେଡ୍ ପ୍ରିଭ୍ୟୁ ହେବାକୁ ଯାଉଥିବାବେଳେ ୧୯ ମାର୍ଚ୍ଚରେ ସାରା ବିଶ୍ୱରେ ମୁକ୍ତି ପାଇବ। ଫିଲ୍ମର ପରବର୍ତ୍ତୀ ଅଧ୍ୟାୟ ଦେଖିବା ପାଇଁ ସିନେପ୍ରେମୀମାନେ ଟିକେଟ କାଉଣ୍ଟରରେ ଭିଡ଼ ଲଗାଇଛନ୍ତି। ଆଡଭାନ୍ସ ବୁକିଂ ଦୃଷ୍ଟିରୁ ମଧ୍ୟ ଏହା ରେକର୍ଡ ସୃଷ୍ଟି କରୁଛି। ସମ୍ପ୍ରତି ପର୍ଯ୍ୟନ୍ତ ଫିଲ୍ମର ପ୍ରଥମ ଦିନ ପାଇଁ ୧୦ ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଛି।
ଟ୍ରେଡ୍ ଆନାଲିଷ୍ଟ Sacnilkଙ୍କ ରିପୋର୍ଟ ଅନୁଯାୟୀ, ୧୮ ମାର୍ଚ୍ଚର ପେଡ୍ ପ୍ରିଭ୍ୟୁରୁ ଫିଲ୍ମ ପ୍ରାୟ ୪୦.୭୦ କୋଟି ଟଙ୍କା (ବ୍ଲକ୍ ସିଟ୍ ସମେତ) ଆୟ କରିଛି। ଏହା ସହିତ ୧୯ ମାର୍ଚ୍ଚର ପ୍ରଥମ ଦିନ ପାଇଁ ଆଡଭାନ୍ସ ବୁକିଂ ୨୯.୩୫ କୋଟି ଟଙ୍କାକୁ ଅତିକ୍ରମ କରିଛି। ୧୫,୦୦୦ରୁ ଅଧିକ ଶୋରେ ୬.୭ ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇଛି। ଏହା ସହିତ ‘ଧୁରନ୍ଧର ୨’ ପ୍ରିଭ୍ୟୁ ଶୋ’ରୁ ସର୍ବାଧିକ କଲେକ୍ସନ କରି OG ଫିଲ୍ମର ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି, ଯେଉଁଥିରେ ୨୫ କୋଟି ଆୟ ହୋଇଥିଲା।
ଏହି ସ୍ପାଇ ଥ୍ରିଲର କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଜୋରଦାର ପ୍ରତିକ୍ରିୟା ପାଇଛି। ବିଦେଶୀ ବଜାରରେ ଫିଲ୍ମର ପ୍ରି-ସେଲ୍ସ ପ୍ରାୟ ୬୫ କୋଟିକୁ ପହଞ୍ଚିଥିବା ବେଳେ ପ୍ରଥମ ସପ୍ତାହାନ୍ତରେ ମୋଟ କଲେକ୍ସନ ୧୩୫ କୋଟି (ବ୍ଲକ୍ ସିଟ୍ ସମେତ) ଅତିକ୍ରମ କରିଛି। ଫିଲ୍ମରେ ରନବୀର ସିଂ, ସାରା ଅର୍ଜୁନ୍, ଅର୍ଜୁନ୍ ରାମପାଲ, ଆର୍ ମାଧବନ୍, ସଞ୍ଜୟ ଦତ୍ତ ଓ ଅନ୍ୟାନ୍ୟ ନାମୀ ଅଭିନେତାମାନେ ଅଭିନୟ କରିଛନ୍ତି। ପ୍ରଥମ ଭାଗ ‘ଧୁରନ୍ଧର’ ବହୁତ ବଡ଼ ସଫଳତା ହାସଲ କରିଥିଲା ଏବଂ ସାରା ବିଶ୍ୱରେ ୧୩୦୦ କୋଟିରୁ ଅଧିକ ଆୟ କରିଥିଲା। ଏବେ ତାହାର ସିକ୍ୱେଲ୍ ମଧ୍ୟ ସେହି ଧାରାକୁ ଜାରି ରଖିପାରିବ କି ନାହିଁ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।