ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ (ଜଗନ୍ନାଥ ମହାନ୍ତି): ପାଖେଇ ଆସୁଛି ଦୁର୍ଗାପୁଜା । ଏଥିପାଇଁ ସହରରୁ ଗାଁ ପର୍ୟ୍ୟନ୍ତ ଖୁସିର ବାତାବରଣ ଖେଳିଯାଇଛି । କିନ୍ତୁ ଚଳିତ ବର୍ଷର ଦୁର୍ଗାପୁଜା ମଧ୍ୟ କୋଭିଡ କଟକଣାରେ ଫିକା ପଡିଛି । ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ କଟକ ଶାରଳା ଭବନରେ ପୁର୍ବ ପ୍ରସ୍ତୁତି ବୈଠକ ହୋଇଛି । ଏଥିରେ ସରକାର କରିଥିବା ଦୁର୍ଗାପୂଜାର ସମସ୍ତ ଏସଓପି ପାଳନ କରିବାକୁ ସର୍ବସମ୍ମତ ହୋଇଥିଲା। ପୂଜା ମଣ୍ଡପରେ ମୋଟ ୭ ଜଣ କର୍ମକର୍ତ୍ତାମାନଙ୍କୁ ନେଇ ପୂଜାପାଠ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି । ଏହାବ୍ୟତୀତ ମଣ୍ଡପ ଭିତରେ ଏବଂ ବାହାରେ ଆଲୋକିକରଣ କରାଯିବ। ମଣ୍ଡପରେ ପରଦା ଟଣାଯାଇ ମା ଙ୍କ ପୂଜାର୍ଚ୍ଚନା କରାଯିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଭଷାଣୀ ପାଇଁ ଦୁଇଦିନ ବୃଦ୍ଧି କରାଇବାକୁ ଉପସ୍ଥିତ ପୂଜା କମିଟିର କର୍ମକର୍ତ୍ତାମାନେ ପ୍ରସ୍ତାବ ଦେଇଥିଲେ। ତେବେ ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି କୁହାଯାଇଛି । ତେବେ ଦୁର୍ଗା ପୂଜା ସମ୍ପୁର୍ଣ୍ଣ କୋଭିଡ କଟକଣା ସହ ଏସଓପି ପାଳନ କରିବାକୁ ସମସ୍ତ ପୂଜା କମିଟି ମାନେ ମତ ଦେଇଥିଲେ। ଏହାସହ ଜୋର ଜବରଦସ୍ତ ବେଆଇନ ଚାନ୍ଦା ମାଗିବାକୁ ମଧ୍ୟ ବାରଣ କରିଛି ଟୁଇନ ସିଟି ପୋଲିସ କମିସନର ସୂଚନା ଦେଇଛନ୍ତି । ଯଦି ଏବରି କୌଣସି ଘଟଣା ଥାନାରେ ଅଭିଯୋଗ ହୁଏ, ତେବେ ପୋଲିସ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଗଣମାଧ୍ୟମକୁ କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଆଜିର ବୈଠକରେ ପୋଲିସ କମିସନରଙ୍କ ସମେତ ଡିସିପି ପ୍ରତୀକ ସିଂହ, ମହାନଗର ଶାନ୍ତି କମିଟି ସାଧାରଣ ସମ୍ପାଦକ ପ୍ରଭାତ ତ୍ରିପାଠୀ, ସଭାପତି ଦେବେନ୍ଦ୍ର ନାଥ ସାହୁ, ପୁର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ ଏବଂ କର୍ମକର୍ତ୍ତା ସହରର ସମସ୍ତ ପୂଜା କମିଟିର ସଭାପତି, ପ୍ରତ୍ୟେକ ଥାନାର ଆଇଆଇସି, ଜୋନ ଏସିପି ପ୍ରମୁଖ ଯୋଗ ଦେଇଥିଲେ ।