ତେଲକୋଇ: ଓଡିଶାରେ ଜନନୀ ଯନ୍ତ୍ରଣା ଦିନକୁ ଦିନ ବଢିବାରେ ଲାଗିଛି । ଅଧିକାଂଶ ଜିଲ୍ଲାରେ ରାସ୍ତାର ଅସୁବିଧା ହେତୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନଥବା ବେଳେ ଗର୍ଭବତୀ ମହିଳା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ପ୍ରସୂତିର କେଇ ମୁହୂର୍ତ୍ତ ପୂର୍ବରୁ ଗର୍ଭବତୀ ମହିଳାଙ୍କୁ ଚାଲିବାକୁ ମଧ୍ୟ ପଡୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ । ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଅମ୍ବୁଲାନ୍ସ ପହଞ୍ଚି ପାରି ନଥିଲା । ପଳରେ ଗର୍ଭବତୀଙ୍କୁ ୨ କିଲୋମିଟର ଦୂର ପର୍ୟ୍ୟନ୍ତ ଚାଲି ଚାଲି ଯିବାକୁ ପଡିଛି ।
ଘଟଣାଟି ହେଉଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ଗାଧୁଆଁ ଗ୍ରାମର । ଗ୍ରାମର ରମେଶ ନାୟକଙ୍କ ପତ୍ନୀ ପଦ୍ମାବତୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କିନ୍ତୁ ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଘରଠାରୁ ୨ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ । ତେଣୁ ପ୍ରଥମେ ପଦ୍ମାବତୀଙ୍କୁ କିଛି ସାମାଜିକ କର୍ମୀଙ୍କ ସହାୟତାରେ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବାକୁ ଚେଷ୍ଟା କରାଯାଇଥିଲା । ରାସ୍ତାର ପରିସ୍ଥିତି ଅନ୍ୟନ୍ତ ଖରାପ ହୋଇଥିବାରୁ ଶେଷରେ ୨ କିଲୋମିଟର ପର୍ୟ୍ୟନ୍ତ ଚାଲି ଚାଲି ଯାଇଥିଲେ ଗର୍ଭବତୀ ପଦ୍ମାବତୀ । ତେବେ ସେଠାରୁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ତା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।