ସମ୍ୱଲପୁର-: ବିଳମ୍ବିତ ରାତିରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଲା କାର । ଧକ୍କା ଫଳରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ସହ କାରଟି ଓଲଟି ହୋଇଯାଇଥିଲା ଚୁରମାର । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ କାରରୁ ଏକ ବନ୍ଧୁକ ଏବଂ କିଛି ଗୁଳି ଜବତ କରିଥିଲା ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ କାର ସୁବର୍ଣ୍ଣପୁର ପଟୁ ସମ୍ବଲପୁରକୁ ଦ୍ରୁତ ଗତିରେ ଯାଉଥିଲା ଯାହାଫଳରେ କାରଟି ଉଲୁଣ୍ଡା ଥାନା ନିକଟସ୍ଥ ମାଟିଖାଇ ନୂଆବସ୍ତିଠାରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଜଣେ ନାବାଳକ ସମେତ ୩ ଜଣ ଗୁରୁତର ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଆହତ ମାନଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଆହତ ବ୍ୟକ୍ତିମାନେ ସମ୍ୱଲପୁର ସହରର ବୋଲି ଜଣା ପଡ଼ିଥିବାବେଳେ ଘଟଣାସ୍ଥଳରେ ତଦନ୍ତ ସମୟରେ ପୋଲିସକୁ ମିଳିଥିଲା ଏକ ଦେଶୀ ବନ୍ଧୁକ ଏବଂ କିଛି ଗୁଳି । ତେବେ ବନ୍ଧୁକ ଓ ଗୁଳିକୁ ନେଇ ତନାଘନା ସହିତ ତଦନ୍ତ ଜାରି ରଖିଛି ପୋଲିସ ।
