ଆଇପିଏଲ୍ ୨୦୨୭ ପୂର୍ବରୁ ବଡ଼ ହଲଚଲ, ଅଦଳବଦଳ ହେଲେ ହାର୍ଦ୍ଦିକ-ଅର୍ଶଦୀପ!

ଆଇପିଏଲ୍‌ ୨୦୨୭କୁ ନେଇ ଏବେଠାରୁ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଦୁଇ ଶକ୍ତିଶାଳୀ ଖେଳାଳିଙ୍କୁ ନେଇ ବଡ଼ ଟ୍ରେଡ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଥିବା ବେଳେ ପଞ୍ଜାବର ଷ୍ଟାର୍‌ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ପିନ୍ଧିବେ। ଉଭୟଙ୍କ ଟ୍ରେଡ୍‌ ପ୍ରକ୍ରିୟା ଶେଷ ହୋଇଥିବା ନେଇ ରିପୋର୍ଟରେ ଦାବି କରାଯାଇଛି।

ହାର୍ଦ୍ଦିକଙ୍କ ପାଇଁ ଏହା ମୁମ୍ବାଇ ଇଣ୍ଡିଆନ୍ସ ସହ ଦ୍ୱିତୀୟ ଅଧ୍ୟାୟର ଅନ୍ତ। ୨୦୧୫ରେ ଏହି ଦଳରୁ ହିଁ ଆଇପିଏଲ୍‌ ଯାତ୍ରା ଆରମ୍ଭ କରିଥିଲେ ସେ। ମୁମ୍ବାଇ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଟ୍ରଫି ଜିତିଥିବା ବେଳେ ହାର୍ଦ୍ଦିକ ସେହି ସଫଳତାର ଅଂଶୀଦାର ଥିଲେ। ଦଳ ସହ ୭ଟି ସିଜନ୍‌ ବିତାଇବା ପରେ ୨୦୨୨ରେ ଗୁଜରାଟ ଟାଇଟନ୍ସକୁ ଯାଇଥିଲେ। ଅଧିନାୟକ ଭାବେ ପ୍ରଥମ ସିଜନ୍‌ରେ ହିଁ ଗୁଜରାଟକୁ ଚାମ୍ପିଅନ୍‌ କରାଇଥିଲେ। ୨୦୨୩ରେ ମଧ୍ୟ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ।

୨୦୨୪ରେ ପୁଣି ମୁମ୍ବାଇକୁ ଫେରିବା ସହ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ପାଇଥିଲେ ହାର୍ଦ୍ଦିକ। ଏବେ ପୁଣି ତାଙ୍କ ଠିକଣା ବଦଳିଛି। ଆଇପିଏଲ୍‌ରେ ଏଯାଏଁ ୧୬୨ଟି ମ୍ୟାଚ୍‌ ଖେଳି ସେ ୨୯୫୫ ରନ୍‌ ସଂଗ୍ରହ କରିବା ସହ ୮୨ଟି ୱିକେଟ୍‌ ଅକ୍ତିଆର କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୪୬.୨୮ ରହିଛି।

ସେପଟେ ପଞ୍ଜାବ କିଙ୍ଗ୍ସ ସହ ଦୀର୍ଘ ୮ଟି ସିଜନ୍‌ର ସମ୍ପର୍କ ଛିନ୍ନ କରି ମୁମ୍ବାଇକୁ ଆସୁଛନ୍ତି ଅର୍ଶଦୀପ ସିଂହ। ୨୦୧୯ରେ ପଞ୍ଜାବ ପକ୍ଷରୁ ଆଇପିଏଲ୍‌ରେ ପାଦ ଥାପିଥିବା ଏହି ବାମହାତୀ ଦ୍ରୁତ ବୋଲର ଦଳ ପାଇଁ ଏକ ବଡ଼ ସଫଳତା ହାସଲ କରିଛନ୍ତି। ୯୬ଟି ମ୍ୟାଚ୍‌ରେ ୧୧୧ଟି ୱିକେଟ୍‌ ନେଇ ସେ ପଞ୍ଜାବ କିଙ୍ଗ୍ସ ଇତିହାସର ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ହୋଇଛନ୍ତି। ୨୦୨୫ ସିଜନ୍‌ରେ ୨୧ଟି ଓ ୨୦୨୬ରେ ୧୪ଟି ୱିକେଟ୍‌ ନେଇ ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ।

ପାରିଶ୍ରମିକ କ୍ଷେତ୍ରରେ ମଧ୍ୟ ଏହି ଟ୍ରେଡ୍‌ ଗୁରୁତ୍ୱ ବହନ କରୁଛି। ହାର୍ଦ୍ଦିକଙ୍କ ପାରିଶ୍ରମିକ ପୂର୍ବରୁ ୧୬.୩୫ କୋଟି ଟଙ୍କା ଥିବା ବେଳେ ପଞ୍ଜାବ କିଙ୍ଗ୍ସ ତାଙ୍କୁ ୧୮ କୋଟି ଟଙ୍କା ପ୍ରଦାନ କରିବ। ଅନ୍ୟପଟେ ଅର୍ଶଦୀପ ମୁମ୍ବାଇ ଇଣ୍ଡିଆନ୍ସରେ ନିଜର ପୂର୍ବ ପାରିଶ୍ରମିକ ୧୮ କୋଟି ଟଙ୍କାରେ ଖେଳିବେ।

ଏହି ଦୁଇ ଷ୍ଟାର୍‌ ଖେଳାଳିଙ୍କ ଅଦଳବଦଳ ଆଗାମୀ ଆଇପିଏଲ୍‌ ସିଜନ୍‌ରେ ଉଭୟ ଦଳର ଶକ୍ତି ଓ ରଣନୀତିକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ହାର୍ଦ୍ଦିକଙ୍କ ଅଭିଜ୍ଞତା ପଞ୍ଜାବ ପାଇଁ କେତେ ଫଳପ୍ରଦ ହେବ ଏବଂ ଅର୍ଶଦୀପଙ୍କ ବୋଲିଂ ମୁମ୍ବାଇକୁ କେତେ ଶକ୍ତିଶାଳୀ କରିବ, ତାହା ଉପରେ ଏବେ କ୍ରିକେଟ୍‌ପ୍ରେମୀଙ୍କ ନଜର।