ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଉପରି ଭାଗରେ ୫.୮ କି.ମି. ଯାଏଁ ବ୍ୟାପ୍ତ ଅଛି । ଆସନ୍ତା ୨୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅଧିକାଂଶ ମଡେଲ ସମ୍ଭାବ୍ୟ ବାତ୍ୟା ହେବ ବୋଲି ଆକଳନ କରିଛନ୍ତି। ତେବେ ଏହି ବାତ୍ୟାର ଗତିପଥ କେଉଁ ଆଡ଼କୁ ରହିବ, ତୀବ୍ରତା କେତେ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିନାହିଁ। ସାମୁଦ୍ରିକ ଝଡ଼ ପାଇଁ ପାଗ ଅନୁକୂଳ ରହିଥିଲେ ମଧ୍ୟ ଏହା ବାତ୍ୟା ରୂପ ନେବ କି ନାହିଁ ଏପର୍ୟ୍ୟନ୍ତ ପାଣିପାଗ ବିଭାଗ ଆକଳନ କରିନାହିଁ। ସମ୍ଭାବ୍ୟ ଅବପାତ ପ୍ରଭାବରେ ଆସନ୍ତା ୨୩ ତାରିଖରୁ ତିନିଦିନ ଧରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି।