ତାଳଚେରରେ ଗଜାନନଙ୍କ ପାଇଁ ପ୍ରସ୍ତୁତ ହେଉଛି ୪୦ କ୍ୱିଣ୍ଟାଲ ଓଜନର ଆଜ୍ଞା ଲଡୁ

ତାଳଚେର:- ବେଶ୍ ଧୁମଧାମରେ ପାଳିତ ହେଉଛି ତାଳଚେରର ଗଣପର୍ବ ଗଣେଶ ପୂଜା । ୨୭ ତାରିଖ ଠାରୁ ଆରମ୍ଭ ହୋଇଛି ପୂଜା ୭ ତାରିଖରେ ଭସାଣି ହେବା ନେଇ କମିଟି ପକ୍ଷରୁ ମିଳିଛି ସୂଚନା । ତେବେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶେଷ ଆକର୍ଷଣ ରହିଛି ଗଜାନନଙ୍କ ଆଜ୍ଞା ଲଡୁ ନିଲାମ । ଭସାଣୀର ପୂର୍ବ ଦିନ ଏହି ନିଲାମ ପ୍ରକ୍ରିୟା ହେବାନେଇ ଧାର୍ଯ୍ୟ ହୋଇଛି । ତେବେ ଚଳିତ ବର୍ଷ ଏହି ଲଡୁ ୪ ଟନ ଓଜନର ହେବା ନେଇ କମିଟି ସୂଚନା ଦେଇଛି । ତେବେ ଏହି ପରିପ୍ରେକ୍ଷୀରେ ବୁଧବାର ଠାରୁ ତାଳଚେର କିଶୋର କ୍ଲବ୍ ପରିସରରେ ଲଡୁ ତିଆରି କାର୍ଯ୍ୟ ଚାଲିଛି । ୮ ଜଣ ମିସ୍ତ୍ରୀ ଏବଂ ୧୨ ଜଣ ସହଯୋଗୀଙ୍କୁ ନେଇ ଚାଲିଛି ଲଡୁ ତିଆରି କାର୍ଯ୍ୟ । କିନ୍ତୁ ସବୁ ଭିତରେ ଲଡୁ ତିଆରି କାର୍ଯ୍ୟ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଚାଲିଥିବା ନଜରକୁ ଆସିଛି । ଲଡୁ ତିଆରି ହୋଇଥିବା ସ୍ଥାନକୁ ସର୍ବସାଧାରଣଙ୍କ ଅବାଧ ପ୍ରବେଶ ରହୁଛି । ଚପଲ ପିନ୍ଧି ମିସ୍ତ୍ରୀ ଏବଂ ସହଯୋଗୀ ମାନେ ଭିତରେ ଚଲାବୁଲା କରୁଛନ୍ତି । ହାତରେ ଗ୍ଲୋବ୍ସ, ମୁଣ୍ଡରେ ଟୋପି, ଦେହରେ କିଚେନ୍ ଆପରୋନ, ମୁହଁରେ ମାସ୍କ ଆଦି ନଦେଇ ଚାଲିଛି ଲଡୁ ପ୍ରସ୍ତୁତି । ଲଡୁରେ ବହୁଳ ପରିମାଣରେ କେମିକାଲ ଯୁକ୍ତ ରଙ୍ଗ ମିଶୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ଗଜାନନଙ୍କ ଆଜ୍ଞା ଲଡୁ ତିଆରି ଚାଲିଥିବା ବେଳେ ବୁନ୍ଦୀ ତସଲା ପାଖରେ ପିଆଜ ରସୁଣ ରଖାଯାଇଥିବା ଦେଖାଯାଇଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ସୁମିତ୍ ସୌରଭ ପରିଡାଙ୍କୁ ପଚାରିବାରୁ ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶୃତି ଦେଇଛନ୍ତି ।