୩୮ ହଜାର କୋଟିର ବ୍ୟାଙ୍କ ଜାଲିଆତି

(ସରୋଜ କୁମାର ରାଉତ/ ଭୁବନେଶ୍ୱର) : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍) ଭିତରେ ୧୮ଟି ସରକାରୀ ବ୍ୟାଙ୍କରେ ୩୨ ହଜାର କୋଟି ଟଙ୍କାର ଜାଲିଆତି ହୋଇଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିଛି।
ଏହି ସମୟରେ ହୋଇଥିବା ଜାଲିଆତି ମଧ୍ୟରୁ ୩୮% ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ହୋଇଛି। ଷ୍ଟେଟ୍ ବ୍ୟାଙ୍କରେ ୧୨,୦୧୨ କୋଟି ଟଙ୍କା ମୂଲ୍ୟର ୧୧୯୭ଟି ଜାଲିଆତି ହୋଇଥିବା ଜଣାପଡ଼ିଛି।
ଏହା ପରେ ଆହ୍ଲାବାଦ ବ୍ୟାଙ୍କରେ ଦ୍ବିତୀୟ ସର୍ବାଧିକ ୩୮୧ଟି ଜାଲିଆତି ହୋଇଥିବା ବେଳେ ସେଥିରେ ୨୮୫୫ କୋଟି ଟଙ୍କା ଜଡ଼ିତ ରହିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୨୫୨୬ କୋଟି ଟଙ୍କାର ୯୯ଟି ଜାଲିଆତି ମାମଲା ଚିହ୍ନଟ ହୋଇଛି। ରିଜର୍ଭ ବ୍ୟାଙ୍କ ଠାରୁ ଏହି ସୂଚନା ମିଳିଛି। ତେବେ କେଉଁ କେଉଁ କ୍ଷେତ୍ରରେ ଜାଲିଆତି ହୋଇଛି ତାହାର ସୂଚନା ରିଜର୍ଭ ବ୍ୟାଙ୍କ ଦେଇନାହିଁ। ଏହି ସବୁ ଜାଲିଆତି ଯୋଗୁ ବ୍ୟାଙ୍କଗୁଡ଼ିକ କେତେ କ୍ଷତି ସହିଛନ୍ତି ତାହାର ଉତ୍ତର ମଧ୍ୟ ରିଜର୍ଭ ବ୍ୟାଙ୍କ ଦେଇନାହିଁ।ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଆନ୍ଧ୍ର ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ସମେତ ଦେଶର ପ୍ରାୟ ସବୁ ସରକାରୀ ବ୍ୟାଙ୍କ ଜାଲିଆତିର ଶିକାର ହୋଇଥିବା ଜଣାପଡ଼ିଛି।